ଖୋର୍ଦ୍ଧା: ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ । ଏହା ଅଧିନରେ ଗ୍ରାମାଞ୍ଚଳର ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାଣି, ଖୋର୍ଦ୍ଧା ଜିଲ୍ଲାରେ ୫ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪୫୬ କୋଟି ୫୧ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ।
ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ୪ଟି ବ୍ଲକ ଅଧୀନରେ ଥିବା ୬୩ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୫୬ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪୧୬୮୮୬ ଜନସଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ଟାଙ୍ଗୀ ବ୍ଲକ ଅଧୀନରେ ଥିବା ୧୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୧୦ଟି ଗ୍ରାମର ପ୍ରାୟ ୧,୦୩,୦୮୫ ଜଣ, ଭୁବନେଶ୍ବର ବ୍ଲକ ଅଧୀନରେ ଥିବା ୧୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୭ଟି ଗ୍ରାମର ପ୍ରାୟ ୯୧,୩୪୫ ଜଣ, ବାଲିପାଟଣା ବ୍ଲକ ଅଧୀନରେ ଥିବା ୧୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୫ଟି ଗ୍ରାମର ପ୍ରାୟ ୧,୦୭,୯୯୭ ଜଣ ଓ ବାଲିଅନ୍ତା ବ୍ଳକ ଅଧୀନରେ ଥିବା ୧୬ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୪ଟି ଗ୍ରାମର ପ୍ରାୟ ୧,୧୪,୪୫୯ ଜଣ ଲୋକ ପାନୀୟଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ ।
ଏହା ମଧ୍ୟ ପଢନ୍ତୁ-କଟକରେ ବାଣ ବିକ୍ରିକୁ ଅନୁମତି, ଲାଇସେନ୍ସ ନଥିଲେ କାର୍ଯ୍ୟାନୁଷ୍ଠାନ
ଏହି ପ୍ରକଳ୍ପ ଗୁଡିକୁ ଆସନ୍ତା ଦୁଇବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ଆଜି ଖୋର୍ଦ୍ଧା ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ, ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବା ପରେ ଜଳକଷ୍ଟ ଦୂର ହେବ ବୋଲି ଆଶା କରାଯାଉଛି । ଲୋକେ ମଧ୍ୟ ସହଜରେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମ ଦିନରେ ଖୋର୍ଦ୍ଧାବାସୀଙ୍କୁ ଏହି ଭେଟି ଦେଇଥିବାରୁ ଧନ୍ୟବାସ ଜଣାଇଛନ୍ତି ଜିଲ୍ଲା ବିଜେଡି ସଭାପତି ।
ଖୋର୍ଦ୍ଧା, ଇଟିଭି ଭାରତ