ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସ୍ବର୍ଗତ ସ୍ବସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅଙ୍କୁ ପ୍ରାର୍ଥୀ କରିଛି ଦଳ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଝାରସୁଗୁଡା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଗତକାଲି(ଶନିବାର) ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ନେଇଛନ୍ତି ଦୀପାଳି । ଦୀପାଳିଙ୍କ ସହ ତାଙ୍କ ଭାଇ ବିଶାଳ ଦାସ ଓ ମା' ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଜୀବନର ନୂତନ ଅଧ୍ୟାୟ ଆରମ୍ଭ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛି ବୋଲି କହିଛନ୍ତି ଦୀପାଳି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ସ୍ୱର୍ଗତ ନେତା ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ମଇଦାନକୁ ଓହ୍ଲାଇଛି । ଶୁକ୍ରବାର ନାଁ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ଦୀପାଳି ଦାସ । ମା' ଓ ଭାଇଙ୍କ ସହ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି । ବେଶ କିଛି ସମୟ ଧରି ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ଦୀପାଳି ଓ ତାଙ୍କ ପରିବାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ଦୀପାଳି କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ମୋ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ତାଙ୍କର ଆଶୀର୍ବାଦ ଆମ ସହିତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋ ବାପା ଝାରସୁଗୁଡା ବାସୀଙ୍କ ପାଇଁ କାମ କରୁଥିଲେ । ଆଶା ରହିଛି କି ମୁଁ ବି ସେମିତି କାମ କରିବି ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ । ଯେହେତୁ ମୁଁ ଜଣେ ମହିଳା ତେଣୁ ମହିଳାଙ୍କ ବିକାଶ ପାଇଁ ସେମାନଙ୍କୁ ଆଗ ଧାଡିକୁ ଆଣିବାକୁ ପ୍ରୟାସ କରିବି । ବାପାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ବାପାଙ୍କ ଭଳି ଅଛନ୍ତି । ଆଶା ଅଛି ଆଗାମୀ ଦିନରେ ତାଙ୍କ ଆଶୀର୍ବାଦ ମୋ ଉପରେ ଏମିତି ରହିବ । ବିଜେଡିର ଷ୍ଟ୍ରଙ୍ଗ ନେଟୱାର୍କ ଥିଲା, ଅଛି । ମୁଁ ଗର୍ବିତ ଯେ, ସେ ଦଳରୁ ପ୍ରାର୍ଥୀ ହୋଇଛି । ଗତ ପଦ୍ମପୁର ଓ ବ୍ରଜରାଜନଗର ଆସନରେ ଦଳ ବୃହତ ବ୍ୟବଧାନରେ ଜିତିଛି । ଝାରସୁଗୁଡାରେ ମଧ୍ୟ ବହୁତ ଭୋଟରେ ଜିତିବୁ ବୋଲି ଆଶା ରହିଛି । କାରଣ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଓ କାର୍ଯ୍ୟକ୍ରମ ଆମ ସହିତ ରହିଛି ।"
ମୋ ବାପାଙ୍କୁ ଲୋକେ ଭଲ ପାଉଥିଲେ । ବିରୋଧୀ ଦଳ ବହୁତ କଥା କହିବେ । ପ୍ରତ୍ୟେକଙ୍କର ନିଜସ୍ଵ ମତ ଓ ମତାମତ ରହିଛି । ଏହା ଗଣତାନ୍ତ୍ରିକ ଦେଶ । ଲୋକ ମାନେ ଯାହାକୁ ଚାହିଁବେ ତାକୁ ଜନ ସମର୍ଥନ ଦେବେ । ଯେଉଁମାନେ କାମ କରିବାକୁ ଆସିବେ ତାଙ୍କୁ ଲୋକ ସମର୍ଥନ ଦେବେ । ସେମାନେ ହିଁ ବିଜୟୀ ହେବେ ବୋଲି କହିଛନ୍ତି ଦୀପାଳି ଦାସ ।
ଇଟିଭି ଭାରତ, ଭୁବନେଶ୍ବର