ଖୋର୍ଦ୍ଧା: ଗରିବ ଲୋକଙ୍କ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ମୁଣ୍ଡ ଉପରେ ଛାତଟିଏ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଯୋଜନା ଯେମିତି ଥିଲା ବାଲା ଲୋକଙ୍କ ପାଇଁ ହୋଇଥିବା ଜଣାପଡୁଛି । ଆର୍ଥିକ ସ୍ବଚ୍ଛଳ ବର୍ଗ, ମୃତ ବ୍ୟକ୍ତି ସହ ସରକାରୀ କର୍ମଚାରୀ ହାତେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ।
ସରକାରୀ ଯୋଜନାରେ ଜାଲିଆତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି ଏଭଳି ସାଂଘାତିକ ଦୁର୍ନୀତି ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଡ଼ମାଣତ୍ରୀ ପଞ୍ଚାୟତରୁ ଏପରି କେଳେଙ୍କାରୀ ସାମନାକୁ ଆସିଛି । ଗରିବ ଲୋକ ଭଙ୍ଗା ଘରେ ଦିନ କାଟୁଥିବାବେଳେ ମୃତ ଲୋକଙ୍କ ନାଁରେ ବି ଘର ଆବଣ୍ଟନ ହୋଇଛି । ଏପରିକି ସରକାରୀ ଚାକିରିଆଙ୍କ ଭଳି ସ୍ବଚ୍ଛଳ ବର୍ଗଙ୍କ ହାତରେ ବି ଟେକି ଦିଆଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ଆରଟିଆଇ(RTI)ରୁ ଆସିଛି ସମସ୍ତଙ୍କୁ ଚମକାଇ ଦେବା ଭଳି ଏହି ତଥ୍ୟ । ପଞ୍ଚାୟତର ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ମାଧ୍ୟମରେ ମାଗିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ।
ତଥ୍ୟ ଅନୁଯାୟୀ, ଏହି ପଞ୍ଚାୟତରେ ଆଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରେ ଘର ହାତେଇଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି । ସେହିଭଳି ଅନେକ ଆଯୋଗ୍ୟ ହିତାଧିକାରୀ ଅଲଗା ଲୋକଙ୍କ ଘର ଦେଖାଇ ସରକାରୀ ଜମିରେ ଘର କରି ଥିବା ଅଭିଯୋଗ ହୋଇଛି ।
କେବଳ ଜଣେ କି 2 ଜଣ ନୁହଁନ୍ତି, ଏହି ପଞ୍ଚାୟତରେ 32 ଜଣ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ହାତେଇଥିବା ଗତ 22ତାରିଖରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଅବଗତ କରି ଘଟଣାର ତଦନ୍ତ ଦାବି କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଗୋଟିଏ ପଟେ ସରକାର 5ଟିକୁ ଗୁରୁତ୍ବ ଦେଉଥିବାବେଳେ ଏଭଳି ଦୁର୍ନୀତି ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ