ଖୋର୍ଦ୍ଧା: ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା-ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ପବ୍ଲିକ ସ୍କୁଲ ପରିସରରେ । ମୃତ ଛାତ୍ର ସେହି ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ । ତାଙ୍କର ନାମ ପାବିଲ୍ୟାସ କର୍ଜି ଓ ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ଗୁରୁବାର ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ସ୍କୁଲ ପରିସରରେ ଥିବା ହଷ୍ଟେଲ ନିକଟସ୍ଥ ଆମ୍ବ ଗଛରେ ପାବିଲ୍ୟାସ କର୍ଜିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍କୁଲ ଅଧ୍ୟକ୍ଷ । ଏନେଇ ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଜାରି ରଖିଛନ୍ତି । ଖୋର୍ଦ୍ଧା ତହସିଲଦାର ବିଭାସ ପାଣିଗ୍ରାହୀ, ଏସଡିପିଓ ଦିଲ୍ଲୀପ ଦାସ, ଆଦର୍ଶ ଥାନା ଅଧିକାରୀ ତାରିଖ ଆହମ୍ମଦ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେବେ ଏହା ଏକ ଆତ୍ମହତ୍ୟା ନା ଛାତ୍ରଙ୍କୁ କେହି ହତ୍ୟା କରି ଗଛରେ ଟଙ୍ଗାଇ ଦେଇଛି ତାହା ଏବେ ସନ୍ଦେହ ଘେରରେ । ଯଦି ଛାତ୍ର ଜଣଙ୍କ ଜୀବନ ହାରିଥାନ୍ତି ତେବେ କ'ଣ ରହିଛି ଏହା ପଛର କାରଣ ? ଯଦି ତାଙ୍କୁ ହତ୍ୟା କରାଯାଇଥାଏ ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା ? ଏଇ ତମାମ ଦିଗରେ ପୋଲିସ ତଦନ୍ତ କରୁଛି ।
ଏହା ମଧ୍ୟ ପଢନ୍ତୁ-ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ମୃତ ପାବିଲ୍ୟାସ କର୍ଜିଙ୍କର କାହା ସହ ଶତ୍ରୁତା ରହିଥିଲା କି ? ସ୍କୁଲରେ ସବୁ କିଛି ଠିକଠାକ ଚାଲିଥିଲା ତ ? ପାଠପଢାକୁ ନେଇ ଚିନ୍ତିତ ଥିଲେ କି ଛାତ୍ର ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଏହି ଘଟଣାରେ ପୋଲିସ ତଦନ୍ତ ପରେ ସତ ସାମ୍ନାକୁ ଆସିବ । ମୃତକଙ୍କ ପରିବାରକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ବୋଲି କହିଛନ୍ତି ଖୋର୍ଦ୍ଧା ଏସଡିପିଓ ।
ଏନେଇ ଏସଡିପିଓ ଦିଲୀପ ଦାସ କହିଛନ୍ତି ଯେ, ସ୍କୁଲ ପରିସରର ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଥାନାରେ ଏକ ମାମଲା ରୁଜୁ ହୋଇଛି । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
ଇଟିଭି ଭାରତ, ଖୋର୍ଦ୍ଧା