ଖୋର୍ଦ୍ଧା: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଏବେଠୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କସରତ ଆରମ୍ଭ କରିଦେଇଛନ୍ତି । ଲୋକମତକୁ କିଭଳି ନିଜ ଆଡକୁ ଆକର୍ଷିତ କରିବେ ସେଥିପାଇଁ ଆରମ୍ଭ କରିଛନ୍ତି କାର୍ଯ୍ୟକ୍ରମ ।
ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ଗୋଡା ଲୋକନାଥ ଦେବଙ୍କ ପୀଠରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆସି ନିର୍ବାଚନୀ ବିଗୁଲ ବଜାଇଛନ୍ତି । କିଭଳି ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ୱାର୍ଡ ଠାରୁ ବ୍ଲକ ଦଖଲ କରିବ ସେଥିପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି । ସେହିପରି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଗୁଜୁରାଟ ମଡେଲକୁ ଆପଣାଇ ଦଳ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଉପସ୍ଥିତ ହଜାର ହଜାର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । କର୍ମୀଙ୍କୁ ଘର ଘର ବୁଲି ସେମାନଙ୍କୁ ଦଳ ପ୍ରତି ଆକର୍ଷିତ କରିବାପାଇଁ ମନ୍ତ୍ର ଦେବାସହ ଆମେ ଚଳିତ ଥର ନିର୍ବାଚନ ଜିତିବା ପାଇଁ ଲଢ଼ୁଛେ ବୋଲି କହି କର୍ମୀଙ୍କ ମନୋବଳକୁ ଦୃଢ କରିଛନ୍ତି ।
ସେହିଭଳି ବିଜେଡି ଓ କଂଗ୍ରେସର ବହୁ କର୍ମୀ ଓ ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ବିଜେପିରେ ସାଂସଦଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଯୁବନେତା ପ୍ରକାଶ ବିଜୁଳି,ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ