ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଚଳିତ 2023-24 ଆର୍ଥିକ ବର୍ଷର ଅନୁସୂଚିତ ଜନନଜାତି, ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ ବିଭାଗର ଖର୍ଚ୍ଚ ଦାବି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଖର୍ଚ୍ଚ ଦାବି ଉପସ୍ଥାପନା କରିଥିଲେ । ଏଥିରେ ଶାସକ ବିରୋଧୀ ଦଳ ସଦସ୍ୟ ମାନେ ଭାଗ ନେଇ ଆଲୋଚନା କରିଥିଲେ ।
ଅନୁସୂଚିତ ଜନନଜାତି, ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ ବିଭାଗ ପାଇଁ ଆସନ୍ତା ବର୍ଷ ୩୧ ମାର୍ଚ୍ଚ ୨୦୨୪ ସୁଧା ଆବଶ୍ୟକ ପଡୁଥିବା ୪୬୫୧ କୋଟି ୭୫ ଲକ୍ଷ ୬୯ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ପ୍ରସ୍ତାବ ଅନୁମୋଦନ ପାଇଁ ମନ୍ତ୍ରୀ ଆଗତ କରିଥିଲେ । ଏହାକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଥିଲା । ଆଲୋଚନାରେ ଭାଗ ନେଇ ବିରୋଧୀ ବିଜେପି ସଦସ୍ୟ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ସେ ଏହାକୁ ସମର୍ଥନ କରୁନାହାନ୍ତି। କାରଣ ଆଦିବାସୀଙ୍କ ବିକାଶ ପାଇ କେନ୍ଦ୍ରରୁ ଆସୁଥିବା ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ । ଆଦିବାସୀଙ୍କ ଶିକ୍ଷା ଓ ସ୍ୱାସ୍ଥା କ୍ଷେତ୍ରରେ ବିକାଶ ହୋଇପାରୁନାହିଁ । ସ୍କୁଲ ଅଛି ଶିକ୍ଷକ ନାହାଁନ୍ତି। ପେଶା ଆକ୍ଟ କାହିଁକି ଲାଗୁ କରାଯାଇନାହିଁ? ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରିନଥିଲେ । ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ସନାତନ ବିଜୁଳୀ, ନବ ଚରଣ ମାଝୀ, ପ୍ରକାଶ ସୋରେନ, ସୂର୍ଯ୍ୟବଂଶୀ ସୂରଜ, କୁସୁମ ଟେଟେ ପ୍ରମୁଖ ଆଲୋଚନାରେ ଭାଗ ନେଇ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବା ସହ ଆଦିବାସୀ ଓ ପଛୁଆବର୍ଗର ବିକାଶରେ କିଭଳି ସରକାର ପଛରେ ପଡିଛନ୍ତି ତାହାର ତଥ୍ୟ ରଖିଥିଲେ । କେନ୍ଦ୍ରୀୟ ଅନୁଦାନର ସଠିକ ଖର୍ଚ୍ଚ ହୋଇପାରୁନଥିବା ଅଭିଯୋଗ କରିଥିଲେ ।
ଏହାବି ପଢନ୍ତୁ- Odisha Assembly: 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ୟକ୍ରମ କଣ: ବିରୋଧୀ ଦଳନେତା
ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ମହମ୍ମଦ ମୋକିମ ଓ ରାଜନ ଏକ୍କା ଆଲୋଚନାରେ ଭାଗନେଇ ଅନୁସୂଚିତ ଜନନଜାତି, ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗଙ୍କ ବିଭିନ୍ନ ସମସ୍ୟା ଉତଥାପନ କରିଥିଲେ ।
ସେପଟେ ଶାସକ ଦଳ ପକ୍ଷରୁ ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି ଅନୁସୂଚିତ ଜନନଜାତି, ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗଙ୍କ କଲ୍ଯାଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସେମାନଙ୍କ ବିକାଶ ପାଇଁ କୌଣସି ଅବହେଳା କରୁନାହାଁନ୍ତି । ଯାହା ବଜେଟରେ ପ୍ରତିଫଳନ ହେଉଛି । ଆଦିବାସୀଙ୍କ ବିକାଶ ପାଇ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ଆଗକୁ ମଧ୍ୟ ହେବାକୁ ଯାଉଛି। ଶାସକ ଦଳ ପକ୍ଷରୁ ବିଧାୟକ ସୁଦାମ ମାରାଣ୍ଡି, ଭାଗୀରଥୀ ସେଠୀ, ପ୍ରଦୀପ ଦିଶାରୀ ଓ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲୀ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ ।
ଏହାବି ପଢନ୍ତୁ- ଓଡ଼ିଶାରେ ବ୍ୟାପୁଛି ଜଙ୍ଗଲ ନିଆଁ, କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଅନ୍ୟପଟେ ମନ୍ତ୍ରୀ କହିଛନ୍ତି 2011 ମସିହା ଜନଗଣନା ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟାର 22.85 ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି, 17.13 ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି, ଓ 5.05 ପ୍ରତିଶତ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର । ଚଳିତ 2023-24 ଆର୍ଥିକ ବର୍ଷରେ ବିଭାଗର କାର୍ଯ୍ୟକ୍ରମ ବ୍ୟୟ ଅଟକଳ 1049 କୋଟି98 ଲକ୍ଷ ସହ ନିର୍ଦ୍ଦେଶିତ ରାଶି ବାବଦକୁ 2 ଲକ୍ଷ ଏପରିକି ସର୍ବମୋଟ 4651 କୋଟି 77 ଲକ୍ଷ 69 ହଜାର ଟଙ୍କା ବ୍ୟୟ ବରାଦ ହୋଇଛି । କାର୍ଯ୍ୟକ୍ରମ ବ୍ୟୟ ବରାଦ ମଧ୍ୟରୁ 2245 କୋଟି 97 ଲକ୍ଷ 45 ହଜାର ଟଙ୍କା ରାଜ୍ୟ ସ୍ତରୀୟ ଯୋଜନାରେ, 140 କୋଟି କେନ୍ଦ୍ରୀୟ ଯୋଜନାରେ, ଏବଂ 1215 କୋଟି 80 ଲକ୍ଷ 24 ହଜାର ଟଙ୍କା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅନ୍ତର୍ଭୁକ୍ତ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର