ଭୁବନେଶ୍ବର: ନୂଆ ରୂପ ପାଇବ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ବଦଳିବ ଏକାମ୍ର କ୍ଷେତ୍ରର ରୂପରେଖ । ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ସହ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରା ଆଧାରିତ ଏକାମ୍ର ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ କରାଯିବ । ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରିପାଖରେ ପରିକ୍ରମା ପଥ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ଥିବାବେଳେ ୨ଟି ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ ।
୩ ଦିନ ଧରି ଅନୁଷ୍ଠିତ ହେବ ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ: ଏକାମ୍ର ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ୨୬, ୨୭ ଓ ୨୮ ତାରିଖ ୩ ଦିନ ଧରି ଅନୁଷ୍ଠିତ ହେବ । ଜୁନ୍ ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ୍ ୨୬ରୁ ହିଁ ଆରମ୍ଭ ହେବ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ କାମ । ଏଥିପାଇଁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ର କ୍ଷେତ୍ର । ପଦ୍ମପାଖୁଡ଼ା ପଥରରେ ହେବ ଶିଳାନ୍ୟାସ । ସେହିପରି ଏଥିରେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ସହ ଏକାମ୍ର କ୍ଷେତ୍ରର ଛୋଟ ଛୋଟ ମନ୍ଦିର ଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ । ଶାନ୍ତ ତଥା ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି ପବିତ୍ରତାକୁ ବୃଦ୍ଧି କରାଯିବା ସହ ନିକଟସ୍ଥ ବିଏମ୍ସି ମାର୍କେଟ୍ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ୍, ଆଲୋକ ଓ ଶବ୍ଦ (light and sound show) ପ୍ରଦର୍ଶନ ଓ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଛି । ପ୍ରତିଦିନ ସନ୍ଧ୍ୟା ୫.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଭଜନ ପରିବେଷଣ ହେବ ।
ଏଭଳି ହେବ ଏକାମ୍ର କ୍ଷେତ୍ରର ଉନ୍ନତି: ତେବେ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ଯୋଜନା ‘ଏକାମ୍ର ପ୍ରକଳ୍ପ’ ଆରମ୍ଭ କରାଯାଇଥିଲା । ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଓ ଜଳାଶୟର ପୁନଃଉଦ୍ଧାର ସମେତ ମହାପ୍ରଭୁଙ୍କ ଆବଣ୍ଟିତ ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ଅଢେଇ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ପ୍ରତ୍ନତତ୍ତ୍ବ ଏବଂ ପ୍ରତ୍ନତାତ୍ତ୍ବିକ ଐତିହ୍ୟର ପୁନଃଉଦ୍ଧାର ପରି ପ୍ରମୁଖ କାର୍ଯ୍ୟକ୍ରମର ରୂପାୟନ କରାଯିବ । ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ । ଏଥିସହ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରୀକାଳୀନ ସେବା ପାଇଁ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାଶ୍ବର୍ରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ଦାୟିତ୍ବ ଦିଆଯାଇଛି ଏବଂ ଉନ୍ନୟନ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ।
ସେପଟେ ଏହି ଅବସରରେ ପ୍ରକଳ୍ପ ପାଇଁ ଜମିଦାନ ଓ ନିଜର ବେଉସା ଛାଡି ବିସ୍ଥାପିତ ହୋଇଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଦେବେ । ବିଶେଷ କରି ବିସ୍ଥାପିତଙ୍କୁ ଥଇଥାନ କରିବ ବିଏମ୍ସି । ବର୍ତ୍ତମାନ ସୁଦ୍ଧା ୧୦୪ ପରିବାରକୁ ସରକାର ଥଇଥାନ କରିଥିବା ବେଳେ ପର୍ଯ୍ୟାୟକ୍ରମେ ଆଗକୁ ଅବଶିଷ୍ଟ ବିସ୍ଥାପିତଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶର । ଆଜି ବିଏମ୍ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଡିସିପି ପ୍ରତୀକ୍ ସିଂ, ଓଡ଼ିଶା ସେତୁ ନିର୍ମାଣ ନିଗମର ସଦସ୍ୟ ଜେକେ ଦାସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର