ଖୋର୍ଦ୍ଧା: 'ସୁନ୍ଦର ତୃପ୍ତିର ଅବସାନ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ', ଏହା ସତ୍ୟ ଯେ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନ୍ତ ନାହିଁ । ନୀଳ ଆକାଶ ତଳେ ଘଞ୍ଚ ଜଙ୍ଗଲ, ଭଳିକି ଭଳି ଗଛଲତାର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ଚାରିପାଖରେ ଘେରି ରହିଛି ଶବୁଜ ପାହାଡ଼ । ସୁନ୍ଦର ପ୍ରାକୃତିକ ପରିବେଶରେ ଭରପୁର ଏହାର ଚତୁଃପାର୍ଶ୍ଵରେ ପାହାଡ଼ର ବୁକୁ ଚିରି କୁଳୁକୁଳୁ ଶବ୍ଦ କରି ବୋହିଯାଉଛି ଶ୍ରାବଣୀ ଝରଣା । ଯାହା ଆଜି ବି ସଭିଁଙ୍କୁ ଅଗୋଚର । କାରଣ ନାଁ ଏଠି ପଡିଛି ପ୍ରଶାସନର ଦୃଷ୍ଟି ନା ଅଛି ପର୍ଯ୍ୟଟନ ବିଭାଗ ପାଖରେ ଖବର ।
ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲା ସୀମାରେ ରହିଛି ଏହି ଅପରୂପ ସୌନ୍ଦର୍ଯ୍ୟରେ ଭରା ପ୍ରାକୃତିକ ପରିବେଶ । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ ଠାରୁ ନୟାଗଡ ଆଡକୁ ଗଲେ ପଡେ ବିଜିପୁର ଗେଟ୍ । ଗେଟରୁ ବାମକୁ ୨ କିଲୋମିଟର ଗଲେ କାଉତରା ଉଚ୍ଚ ବିଦ୍ୟାଳୟ ଆସିବ । ବିଦ୍ୟାଳୟରୁ ୩ କିଲୋମିଟର ପାହାଡିଆ ରାସ୍ତାଦେଇ ଚାଲିଚାଲି ଯିବାକୁ ପଡ଼ିବ ଏହି ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘରକୁ । ଏଠାକୁ ଏପର୍ଯ୍ୟନ୍ତ କୌଣସି ରାସ୍ତା ନଥିବାରୁ ଏହା ବିପଦପୂର୍ଣ୍ଣ । ଟିକିଏ ଅସାବଧାନତା ହେଲେ ଅଘଟଣ ଘଟିପାରେ । ତେଣୁ ବହୁ ସତର୍କତା ସହ ଏଠାକୁ ଯିବାକୁ ପଡେ । ଆବହମାନ କାଳରୁ ଏହି ଶ୍ରାବଣୀ ଝରଣା କୁଳୁକୁଳୁ ଶବ୍ଦରେ ବହିଚାଲିଛି । କିନ୍ତୁ ଲୋକଲୋଚନକୁ ଆସିପାରିନି । ଚାରିକଡ଼ରେ ବିରାଟ ବିରାଟ ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଝରଣା ଅବସ୍ଥିତ । କିଛି ସ୍ଥାନୀୟ ଲୋକ ଏହି ଝରଣା ବିଷୟରେ ଅବଗତ ଥିଲେ ମଧ୍ୟ ଏଠାକୁ ରାସ୍ତା ନଥିବା କାରଣରୁ ଆସିପାରୁ ନାହାନ୍ତି । କିନ୍ତୁ ଏହି ଅପରୂପ ସୌନ୍ଦର୍ଯ୍ୟ ଭରା ସ୍ଥାନକୁ ଯିଏ ଥରେ ଆସିଛି ଏହାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଛି ।
ଯଦି ଏହି ସ୍ଥାନକୁ ପ୍ରଶାସନ ଭଲ ରାସ୍ତା ଓ ଏହାର ପ୍ରଚାର ପ୍ରସାର ପାଇଁ ଦୃଷ୍ଟି ଦିଅନ୍ତେ ତେବେ ରାଜ୍ୟର ଏହା ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପରନ୍ତା ଏବଂ ପ୍ରାକୃତିକ ଶୋଭାରାଜିର ଏହି କ୍ଷେତ୍ରରେ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳନ୍ତା । ଏଥିସହ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବାଣିଜ୍ୟିକ ଅଭିବୃଦ୍ଧି ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ