ଖୋର୍ଦ୍ଧା: କୋରୋନାର ଦ୍ବିତୀୟ ଲହର କବଜାରେ ଭାରତ । ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ ଟୀକାକରଣ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ଆଉ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ରହିଛି ରେଡ ଜୋନରେ।
କୋରୋନା ଚେନ ଭାଙ୍ଗିବା ପାଇଁ ମାସ୍କ, ସାମାଜିକ ଦୂରତା କଡାକଡି ପାଳନ କରିବାକୁ ସରକାର ଚେତାବନୀ ଦେଇଥିଲେ ମଧ୍ୟ ଏହାକୁ ଫୁ କରି ଉଡାଇ ଦେଉଛନ୍ତି ଲୋକେ । ଶୁକ୍ରବାର ସେଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋରୋନା ଟିକା କେନ୍ଦ୍ରରେ ।
ଶହଶହ ସଂଖ୍ୟକ ଲୋକ ଏଠାକୁ ଟିକା ନେବାକୁ ଆସିଥିବା ବେଳେ ମାସ୍କକୁ ସଠିକ ଢଙ୍ଗରେ ନପିନ୍ଧିବା ସହ ସାମାଜିକ ଦୁରତାକୁ ଭୁଲିଯାଇଥିବା ଦେଖିବାକୁ ମିଳିଛି । ତେବେ ଲୋକେ କେବେ ସଚେତନ ହେବେ ଓ କୋରୋନା ଲଢେଇରେ ନିଜକୁ ସାମିଲ କରିବେ ତାହା ଦେଖିବାକୁ ବାକି ରହିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ