ଭୁବନେଶ୍ବର: ମୟୂରଭଞ୍ଜରେ ଅମର୍ଦା ଏୟାରଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତର କରିବା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଘେରିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଜମି ହସ୍ତାନ୍ତର କରିବାରେ ରାଜ୍ୟ ସରକାର ବାଧା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଏୟାର ଷ୍ଟ୍ରିପ କାର୍ଯ୍ୟକ୍ଷମ ହେଲେ ମୟୂରଭଞ୍ଜର ବିକାଶ ହୁଅନ୍ତା । କିନ୍ତୁ ରାଜ୍ୟ ସରକାର ଏହା କରାଇ ଦେଉନଥିବା ସେ ଅଭିଯୋଗ କରିଛନ୍ତି ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ୟବହାର ହେଉଥିଲା ଅମର୍ଦା ଏୟାର ଷ୍ଟ୍ରିପ । ଏହା ଏସିଆର ସର୍ବବୃହତ୍ ଏୟାରଷ୍ଟ୍ରିପ । ଏହି ଏୟାର ଷ୍ଟ୍ରିପ କାର୍ଯ୍ୟକ୍ଷମ ହୋଇଥିଲେ କେନ୍ଦୁଝର ସମେତ ଖଡଗପୁର ପର୍ଯ୍ୟନ୍ତ ଲୋକ ଉପକୃତ ହୋଇଥାନ୍ତେ । ମୟୂରଭଞ୍ଜ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ହୋଇଥାନ୍ତା । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାର କରାଇ ଦେଲେ ନାହିଁ । ଭାରତ ସରକାର ରାଜ୍ୟ ସରକାରଙ୍କୁ ଜମି ବାବଦକୁ ୨୬ କୋଟି ଟଙ୍କା ଜମା କରିବାକୁ କହିଥିଲେ । କିନ୍ତୁ ରାଜ୍ୟ ସରକାର କହିଲେ କେନ୍ଦ୍ର ସରକାର ଟଙ୍କା ଛାଡ କରନ୍ତୁ ।
ଟୁଡୁ ଆହୁରି କହିଛନ୍ତି, "ତେବେ ଏଠି ପ୍ରଶ୍ନ ଉଠୁଛି, ଯେତେବେଳେ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେଉଛନ୍ତି । କିନ୍ତୁ ୨୬ କୋଟି ଟଙ୍କା ଏୟାର ଷ୍ଟ୍ରିପ ପାଇଁ ଦେବାକୁ କାହିଁକି ରାଜି ହେଉନଥିଲେ । ପ୍ରତିରକ୍ଷା ବିଭାଗ ତାଗିଦ କଲା ପରେ ୨୬ କୋଟି ଟଙ୍କା ଦେଲେ ରାଜ୍ୟ ସରକାର । ଜମି ହସ୍ତାନ୍ତର ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଗଲେ ନାହିଁ । ଜିଲ୍ଲାପାଳ କହିଲେ ରାଜ୍ୟ ସରକାର ମୋତେ ମନା କରିଛନ୍ତି । ମୟୂରଭଞ୍ଜ ଓଡ଼ିଶା ବାହାରେ କି ?"
ଏହା ବି ପଢନ୍ତୁ- ଅନୁପସ୍ଥିତ ରହିଲେ ଜିଲ୍ଲାପାଳ, ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପାଇଁ ହୋଇପାରିଲାନି ଜମି ହସ୍ତାନ୍ତର
ସେହିପରି ବିଜେଡ଼ିର କିଛି ଦଲାଲମାନଙ୍କ ଜରିଆରେ ସଭା ସ୍ଥଳକୁ ଯିବା ପାଇଁ ଲୋକ ଏବଂ ଗଣମାଧ୍ୟମକୁ ଅଟକାଇଥିଲେ । ଉଦ୍ଦେଶ୍ୟ ଥିଲା ସଭାକୁ ଭଣ୍ଡୁର କରିବା ପାଇଁ । ରାଜ୍ୟ ସରକାର ମୟୂରଭଞ୍ଜ ପ୍ରତି ଅବହେଳା କରୁଛନ୍ତି । ମୟୂରଭଞ୍ଜ ବିକାଶ ପାଇଁ କେନ୍ଦ୍ର ସରକାର ୪୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ଆଗ୍ରହ ନାହିଁ । ୨୩ ବର୍ଷ ଧରି ମୟୂରଭଞ୍ଜବାସୀଙ୍କୁ ଭଣ୍ଡେଇଛନ୍ତି ରାଜ୍ୟ ସରକାର । ୨୩ ବର୍ଷ ଧରି ରାଜ୍ୟ ସରକାର କଣ କରୁଥିଲେ ? ଏୟାରପୋର୍ଟ କାହିଁକି କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଟୁଡୁ ।
ମୟୂରଭଞ୍ଜବାସୀଙ୍କୁ ରାଜ୍ୟ ସରକାର ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରି ଟୁଡୁ କହିଛନ୍ତି, " ମୟୂରଭଞ୍ଜ ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଅଛି । କିନ୍ତୁ ଏସବୁର ବିକାଶ ରାଜ୍ୟ ସରକାର କରୁନାହାନ୍ତି । ଭାରତ ସରକାର ୫୦ ଲକ୍ଷରୁ ଅଧିକ ଟଙ୍କା ଦେଇ ପର୍ଯ୍ୟଟନ ସ୍ଥଳର ବିକାଶ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । କିନ୍ତୁ ରାଜ୍ୟ ସରକାର ୧୦ରୁ ୨୦ ଲକ୍ଷ ଟଙ୍କା ଦେଇ ସବୁ କରିଦେବେ । କେନ୍ଦ୍ର ସରକାର ନାଁ ନେଇଯିବେ ବୋଲି ରାଜ୍ୟ ସରକାର ସବୁ କିଛି ପଛଘୁଞ୍ଚା ଦେଉଛନ୍ତି । ଶିଳ୍ପ କ୍ଷେତ୍ରରେ ବି ମୟୂରଭଞ୍ଜ ପ୍ରତି ଅବହେଳା କରିଛନ୍ତି ରାଜ୍ୟ ସରକାର ।"
ଏହା ବି ପଢନ୍ତୁ- ଜୋର୍ ଧରିଲା ମୟୂରଭଞ୍ଜ ଅମର୍ଦ୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ଦାବି
3ଟି ରେଲୱେ ପ୍ରକଳ୍ପର ବି ଡିପିଆର୍ ପ୍ରସ୍ତୁତି ହୋଇଛି । କେନ୍ଦ୍ର ସରକାର ବିକାଶମୂଳକ କାମରେ ରାଜ୍ୟ ଭୟଭୀତ । ଶିଳ୍ପ ପ୍ରତିଷ୍ଠା ପାଇଁ ଅପାର ସମ୍ଭାବନା ରହିଛି । ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ଶିଳ୍ପ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିବ । କିନ୍ତୁ ରାଜ୍ୟ ସରକାର କରାଇ ଦେଲେନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଜିଲ୍ଲାର ବିକାଶ କାର୍ଯ୍ୟରେ କେନ୍ଦ୍ର ସରକାରକୁ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ଟୁଡୁ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର