ଭୁବନେଶ୍ବର: ପରୀ ହତ୍ୟା ଘଟଣାରେ ଦିନକୁ ଦିନ ବିବାଦ ତେଜିବା ସହିତ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ହେଉଥିବା ଦେଖିବାକୁ ମିଳୁଛି । ଗୁରୁବାର ବାଣୀ ବିହାର ଛାତ୍ର ସଂଘ ପକ୍ଷରୁ ଘଟଣାକୁ ତୀବ୍ର ବିରୋଧ କରାଯିବା ସହ ସିବିଆଇ ତଦନ୍ତ ଦାବି ହୋଇଛି ।
ପରୀ ହତ୍ୟା ଘଟଣାର ଚର୍ଚ୍ଚା ଏପର୍ଯ୍ୟନ୍ତ ଥମୁ ନ ଥିବା ଦେଖିବାକୁ ମିଳିଛି । ରାଜନୈତିକ ଦଳମାନଙ୍କଠାରୁ ଆରମ୍ଭ କରି ସମାଜର ବିଭିନ୍ନ ଗୋଷ୍ଠୀ ଓ ଛାତ୍ର ସମାଜ ପକ୍ଷରୁ ଏହି ଘଟଣାର ନିନ୍ଦା କରାଯାଉଛି । ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି । ବାଣୀ ବିହାର ଛାତ୍ର ସଂଘର ଏକାଧିକ ଛାତ୍ରମାନେ ବାଣୀବିହାରଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଏକ ବାଇକ୍ ଶୋଭାଯାତ୍ରାରେ ଆସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି ଘଟଣାରେ ସରକାର ଏସଆଇଟି ତଦନ୍ତ କରିବା ଏକ ପ୍ରହସନ ବୋଲି କହିବା ସହ ଆଗରୁ ଅନେକ କ୍ଷେତ୍ରରେ ଏହି ଭଳି ସମାନ ପ୍ରକ୍ରିୟା କରାଯାଇ ଘଟଣାକୁ ଚପାଇ ଦିଆଯାଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ତେଣୁ ନବୀନ ସରକାର ପରୀ ହତ୍ୟାକାଣ୍ଡ ସହ ସମ୍ପୃକ୍ତି ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରୋତ୍ସାହନ ନ ଦେଇ ତାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ଛାତ୍ରମାନେ ଦାବି କରିଛନ୍ତି । ଏହାସହିତ ସିବିଆଇ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ସରକାର ଏପରି ପଦକ୍ଷେପ ଗ୍ରହଣ ନକରିଲେ ଏହି ଘଟଣା ମଧ୍ୟ ଅନ୍ୟ ଘଟଣା ଭଳି ସରକାରଙ୍କୁ କ୍ଲିନଚିଟ୍ ଦେଇ ପରୀର ପରିବାରକୁ ଭଣ୍ଡାଇବା ଭଳି ହେବ ବୋଲି ସେମାନେ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ