ଭୁବନେଶ୍ୱର: ଭଣ୍ଡବାବା ଗିରଫ । ଆଇଟି ଲେଡିଙ୍କ ଭବିଷ୍ୟ ଗଣନା ଆଳରେ ଦୁଷ୍କର୍ମ ଅଭିଯୋଗ ପରେ ଭଦ୍ରକରୁ ଗିରଫ କଲା କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ନିଜକୁ ଜ୍ୟୋତିଷ ପରିଚୟ ଦେଇ ଜଣେ ଆଇଟି ମହିଳାଙ୍କ ଘରେ ବାସ୍ତୁ ପୂଜା କରିବା ନାଁରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଭଣ୍ଡବାବା ଜଣକ । ଆଉ କେହି ଯଦି ଏହି ଭଣ୍ଡ ବାବା ଦ୍ବାରା ଠକାମିର ଶିକାର ହୋଇଛନ୍ତି ତେବେ ପୋଲିସ ନିକଟରେ ଅଭିଯୋଗ କରିବାକୁ କମିଶନରେଟ ପୋଲିସ ଅନୁରୋଧ କରିଛି ।
ଅଭିଯୋଗ ମୁତାବକ, ଭଣ୍ଡବାବାଙ୍କ ନାଁ ନିଳାମ୍ବର ପାଣି, ଘର ସିନ୍ଦୋଳ ପୀରହାଟ ଭଦ୍ରକ ଅଞ୍ଚଳରେ । ନିଜକୁ ଜଣେ ଜ୍ୟୋତିଷ ଭାବେ ପରିଚୟ ଦେଇ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଜଣେ ଆଇଟି ସେକ୍ଟରରେ କାମ କରୁଥିବା ମହିଳାଙ୍କ ସମ୍ପର୍କରେ ଆସିଥିଲେ । ଘରେ ଅଶାନ୍ତି ଲାଗି ରହୁଥିବା ବେଳେ ଘରର ବାସ୍ତୁ ବଦଳାଇବାକୁ ପରାମର୍ଶ ଦେଇଥିଲେ ସମ୍ପୃକ୍ତ ଜ୍ୟୋତିଷଜଣକ । ତେବେ ଜ୍ୟୋତିଷଙ୍କୁ ବିଶ୍ବାସ କରି ମହିଳା ଜଣକ ପୂଜା କରିବା ପାଇଁ ଘରକୁ ଡାକିଥିଲେ ଓ ଘରର ବାସ୍ତୁ ଦେଖି ୮୩ ହଜାର ଟଙ୍କା ଫୋନ ପେ'ରେ ନେଇଥିଲେ । ଗତ ୧୪ ଡିସେମ୍ବରରେ ପୂଜା କରିବା ଆଳରେ ତାଙ୍କୁ ଏକ ଲବଙ୍ଗ ଖାଇବାକୁ ଦେଇଥିଲେ । ଲବଙ୍ଗ ଖାଇବା ପରେ ମହିଳାଙ୍କୁ ନିଶା ଅନୁଭବ ହୋଇଥିଲା । ଏହାପରେ ତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କ ଘରୁ ଟଙ୍କା ଓ ସୁନା ଚୋରି କରି ନେଇ ପଳାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଦୁଷ୍କର୍ମ ବେଳର ଭିଡିଓ କରିବା ସହ ୨ ଲକ୍ଷ ଟଙ୍କା ନଦେଲେ ଭିଡିଓ ଅନ୍ୟମାନଙ୍କୁ ଦେଖାଇଦେବ କହି ମହିଳାଙ୍କୁ ବ୍ଲାକମେଲିଂ କରିଥିଲା ନିଳାମ୍ବର ପାଣି ।
ଏହାମଧ୍ୟ ପଢନ୍ତୁ.. ଧରାପଡ଼ିଲା RTI ମହାଠକ, ଚାକିରିଆଙ୍କୁ ଟ୍ରାନ୍ସଫର ଆଳରେ କରୁଥିଲା ଠକେଇ
ଏନେଇ ମହିଳା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭଦ୍ରକରୁ ଭଣ୍ଡବାବାକୁ ଗିରଫ କରିବା ସହ ସମ୍ପୃକ୍ତ ବାବା ନାଁରେ ଧାରା 376, 420, 506, 406, 384ରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଯଦି ଆଉ କେହି ଏହି ଭଣ୍ଡ ବାବାଙ୍କ ଦ୍ବାରା ଠକାମିର ଶିକାର ହୋଇଛନ୍ତି, ତେବେ ପୋଲିସ ଜଣାଇବାକୁ କମିଶନରେଟ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର