ଭୁବନେଶ୍ବର: ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣା (Anand Toppo Death case) । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ତଦନ୍ତର ସାମ୍ନା କରିଛନ୍ତି ଆନନ୍ଦଙ୍କ ବାନ୍ଧବୀ ମନଜିତ୍ ଟେଟେ । ମନଜିତ୍ ଟେଟେ ପୋଲିସର ସନ୍ଦେହ ଘେରରେ ରହିଥିଲେ । ତେଣୁ ପୋଲିସ ତାଙ୍କୁ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ପଚରା ଉଚରା କରିଛି । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସକ୍ରିୟ ହୋଇଛି ତଦନ୍ତ । ଆନନ୍ଦ ଟପୋ ହତ୍ୟା ମାମଲାରେ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।
ଏହି ହତ୍ୟା ମାମଲାରେ ୨୫ଜଣଙ୍କୁ ସମନ୍ କରାଯାଇଛି । ତେବେ ଏହି ଘଟଣାରେ ପୁର୍ବରୁ ପୋଲିସ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କୁ ପଚରାଉଚରା କରିଥିଲା । ଅତିରିକ୍ତ ଡିସିପି ପ୍ରକାଶ ପାଲ ଏନେଇ ତଦନ୍ତ କରୁଛନ୍ତି । ଏଘଟଣାରେ ପୂର୍ବରୁ ଥାନାଧିକାରିଣୀଙ୍କ ଅବହେଳା ଯୋଗୁଁ ତାଙ୍କୁ ଦଣ୍ଡ ସ୍ଵରୁପ ୧ବର୍ଷ ପାଇଁ ଟ୍ରେନିଂ ପାଇଁ ପଠାଇ ଦେଇଛନ୍ତି ହାଇକୋର୍ଟ । ତେବେ ମନଜିତ ଟେଟେ ଥାନାରେ ହାଜର ହୋଇ ପକ୍ଷ ରଖିଛନ୍ତି । ଏନେଇ ପୁର୍ବରୁ ଆନନ୍ଦଙ୍କ ମା’ ଅଭିଯୋଗ କରିଥିଲେ ମନଜିତ ଜାଣିଛନ୍ତି ଏଇ ଘଟଣା ପଛର ରହସ୍ୟ । ମନଜିତଙ୍କ ଏବାଦରେ ପଚରଉଚରା କଲେ ପରଦା ପଛର ରହସ୍ୟ ସାମ୍ନାକୁ ଆସିବ । ଏହା ପରେ ମନଜିତ ଟେଟେଙ୍କୁ ନେଇ ପୋଲିସର ସନ୍ଦେହ ବଢିଥିଲା । ଥାନାକୁ ଆଣି ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣା ବାବଦରେ ମନଜିତଙ୍କୁ ଜେରା କରିଥିଲା ପୋଲିସ ।
ସୂଚନା ଅନୁସାରେ, ଚଳିତ ବର୍ଷ ଆନନ୍ଦ ଟପ୍ପୋ ବିବାହ କରିଥିଲେ । କିଛି ଦିନ ପରେ ଫେବ୍ରୁଆରୀ ୨୭ରେ ସେ ତାଙ୍କ ଦୁଇ ବନ୍ଧୁ ଚୁନା ସିଂ ଓ ସୁନନ୍ଦ ଟିକରେଙ୍କ ସହ ଭୁବନେଶ୍ବର ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ ତାଙ୍କ ଅନ୍ୟ ସାଙ୍ଗଙ୍କୁ ଭେଟିବାକୁ କହିଥିଲେ । ପରଦିନ ଭୁବନେଶ୍ବର ଇନଫୋସିଟି ଏକ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ଆନନ୍ଦଙ୍କ ପରିବାରକୁ ବୀରେନ୍ଦ୍ର ଲାକ୍ରା ଜଣାଇଥିଲେ । ବୀରେନ୍ଦ୍ର ଓ ଅନ୍ୟ ବନ୍ଧୁ ମନଜିତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମଞ୍ଜିତ କହିଛନ୍ତି, ବାର୍ଥରୁମରୁ ଆସିଲା ବେଳକୁ ଆନନ୍ଦଙ୍କୁ ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହକୁ ପରିବାର ଦେଖିବା ସମୟରେ ଆନନ୍ଦଙ୍କ ବେକରେ ଏକ ଦାଗ ଦେଖିବାକୁ ମିଳିଥିଲା । ଏହି ଦାଗ ଦେଖି ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଅଭିଯୋଗ ଆଣିଥିଲା ପରିବାର । ଏହା ସହିତ ତାଙ୍କ ପୁଅ ଆନନ୍ଦଙ୍କ ହତ୍ୟା ଘଟଣାରେ ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମନଜିତ ଟେଟେ ସମ୍ପୃକ୍ତି ନେଇ ସେ ଅଭିଯୋଗ ଆଣିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର