ଭୁବନେଶ୍ବର:ଆସନ୍ତାକାଲି ଠାରୁ ଦୁଇ ଦିନ ସ୍କୁଲ ଛୁଟି । ଆସନ୍ତା ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ। ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ୨ ଦିନ ବନ୍ଦ ରହିବ । ଖରା ତାତିକୁ ଦୃଷ୍ଟିରେ ରଖି ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଅତ୍ୟଧିକ ଖରା ଗରମ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
![all schools in the state are closed](https://etvbharatimages.akamaized.net/etvbharat/prod-images/od-bbsr-04-education-school-closed-7206049_18042023215448_1804f_1681835088_211.jpg)
ସୂଚନାଯୋଗ୍ୟ, ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଖରାର ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସବୁଠି ତାତି ଆଉ ଗୁଳୁଗୁଳିର ଅସହ୍ୟ ଯନ୍ତ୍ରଣା ହେଇଥିବା ବେଳେ ରାଜ୍ୟରେ ଆହୁରି ୩ ଦିନ ତାତି ବଢିବ। ପାଖାପାଖି ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଖରା ବା ଗରମର ପ୍ରଭାବ ରାଜ୍ୟରେ ରହିବ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ପ୍ରବଳ ରୁଦ୍ରତାପ ସହ ଅପରାହ୍ନରେ ରାଜ୍ୟରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବ । କିନ୍ତୁ ଏହା କମ ପରିମାଣର ହେବାକୁ ଆକଳନ କରାଯାଇଥିବା ବେଳେ ଏହାଦ୍ବାରା ଗରମ କମିବ ନାହିଁ ବୋଲି ବିଭାଗ କହିଛି ।
ଏଥିସହ ରାଜ୍ୟରେ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪୮ ଘଣ୍ଟା ପାଇଁ ୮ ଟି ଜିଲ୍ଲାକୁ ଜାରି ରହିଛି ହିଟ ୱେଭ । ତେବେ ସେ ସମସ୍ତ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ । ୨୦ ତାରିଖ ଓ ୨୧ ତାରିଖରେ ମଧ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ଅନ୍ୟପଟେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାରେ ଉଚ୍ଚ ତାପମାତ୍ରା ସହ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢନ୍ତୁ-Mahanadi Dispute: ଟ୍ରିବ୍ୟୁନାଲର ଆଜିଠୁ କ୍ଷେତ୍ର ପରିଦର୍ଶନ, ଓଡିଶା ଟିମ ସାମିଲ
ତେଣୁ ଲୋକମାନେ ଦିନ ୧୧ଟା ଠାରୁ ୩ଟା ମଧ୍ୟରେ ପଦାକୁ ନ ବାହାରିବାକୁ ସତର୍କ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହି ସମୟରେ ଅତି ଜରୁରୀ କାମରେ ବାହାରକୁ ଗଲାବେଳେ ସାଙ୍ଗରେ ପାଣି ବୋତଲ, ଓଆରଏସ ସହ ଛତା ସାଙ୍ଗରେ ନେବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ୨୧ ତାରିଖ ପରେ କିଛି ମାତ୍ରାରେ ତାପମାତ୍ରାରେ ପରିବର୍ତ୍ତନ ହୋଇପାରେ ।
ଇଟିଭି ଭାରତ, ଭୁବନେଶ୍ବର