ଭୁବନେଶ୍ବର: ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେଲେ ଅକ୍ଷୟ ପରିଜା । ଗତକାଲି ୮ଘଣ୍ଟା ଜେରା ହୋଇଥିବା ବେଳେ ଆଜି ଶ୍ରଦ୍ଧାଞ୍ଜଳି ସହ ମୁହାଁମୁହିଁ ଜେରା କରୁଛି ଇଡି । ବ୍ଲାକମେଲିଂ ପଇସାରେ କିପରି ଆଲିଶାନ ଜୀବନ ବିତାଉଥିଲେ ସେନେଇ ମାରାଥନ ଜେରା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଗତକାଲି ଜେରା ପରେ ଓଡିଶାର ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରହିଥିବା କଥା କହିଲେ ପ୍ରଯୋଜକ ଅକ୍ଷୟ ପରିଜା ।
ଏହି ଘଟଣାରେ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ଯେମିତି କିଛି ଲୁଚାଇ ପାରିବେନି ସେ ନେଇ ମାରାଥନ ଜେରା ଚାଲିଛି । ଅର୍ଚ୍ଚନା କିପରି ଏହାର ମାଷ୍ଟରମାଇଣ୍ଡ ଥିଲା । କିପରି ଏସବୁର କାରସାଦି କରିବାରେ ଅର୍ଚ୍ଚନା ପ୍ରମୁଖ ଭୂମିକା ନିଭାଉଥିଲା ସେନେଇ ଇଡି ହାତରେ ସୁରାକ ଲାଗିଥିବା ସୂଚନା ରହିଛି । ବଡ କଥା ହେଉଛି ଅର୍ଚ୍ଚନା କିପରି ବଡବଡ ଅଫିସର, ବ୍ୟୁରୋକ୍ରାଟ, ରାଜନେତା, ବ୍ୟବସାୟୀମାନଙ୍କ ସହ ବନ୍ଧୁତା କରି ବ୍ଲାକମେଲର ତାଲିକା ପ୍ରସ୍ତୁତ କରୁଥିଲା। ସୋସିଆଲ ମିଡିଆ ଓ ସମାଜ ସେବା ଆଳରେ ଭେଟ ହୋଇ ସମ୍ପର୍କ ବଢାଇବା ସହ ବ୍ଲାକମେଲ କରି ମୋଟା ଅଙ୍କର ଟଙ୍କା ଆଦାୟ କରିଥିଲା ଏହି ସମସ୍ତ ବିଷୟ ଉପରେ ତନାଘନା ଆରମ୍ଭ କରିଛି ଇଡି ।
ଏହା ମଧ୍ୟ ପଢନ୍ତୁ: ନିଜର ଛୁଆ ନହେବାରୁ ୩ ବର୍ଷର ଝିଆରୀକୁ ହତ୍ୟା କଲା ଖୁଡି
ସୂଚନାଅନୁସାରେ, ବଡବଡ ରାଜନେତାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇବା ପାଇଁ ଶ୍ରଦ୍ଧାଞ୍ଜଳିର ସାହାରା ନେଇଥିଲା ଅର୍ଚ୍ଚନା । ଯେଉଁମାନେ ରାଜି ହେଉନଥିଲେ ସେମାନଙ୍କ ବିରୋଧରେ ପାଲଟା ଅଭିଯୋଗ କରୁଥିଲେ । ଏପରି ସମାନ ଢଙ୍ଗରେ ଅର୍ଚ୍ଚନା ହନିଟ୍ରାପରେ ଛନ୍ଦି ହୋଇଥିଲେ ଅକ୍ଷୟ ପରିଜା । ଏଥିରୁ ମୁକୁଳିବା ପାଇଁ ଅର୍ଚ୍ଚନା କୁଆଡେ ଏଥିନିମନ୍ତେ ଅକ୍ଷୟଙ୍କୁ ୩କୋଟି ଟଙ୍କା ମାଗିଥିଲେ ବୋଲି ଅଭିଯୋଗ କରିଥିଲେ ।
ସେପଟେ ଶ୍ରଦ୍ଧାଞ୍ଜଳି ପ୍ରଥମେ ଅକ୍ଷୟଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଏହାପରେ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ । ଅକ୍ଷୟ ପରିଜା ଖଣ୍ଡଗିରି ଥାନାରେ କରିଥିବା ଅଭିଯୋଗରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ନାମ ନେଇଥିଲେ । ଏହାକୁ ନେଇ ପୋଲିସ୍ ତନାଘନା ଆରମ୍ଭ କରିଥିବା ବେଳେ ଧୀରେ ଧୀରେ ପଦାକୁ ଆସିଥିଲା ଅର୍ଚ୍ଚନାଙ୍କ କଳା କାରନାମା । ତେବେ ଅର୍ଚ୍ଚନା କାହିଁକି ଅକ୍ଷୟ ପରିଜାଙ୍କୁ ବ୍ଲାକେମେଲ କରୁଥିଲେ ସେନେଇ ତନାଘନା ଆରମ୍ଭ କରିଛି ଇଡି । ତେବେ ନ୍ୟାୟିକ ବ୍ୟବସ୍ଥା ଉପରେ ପୁରା ଭରସା ରହିଥିବା କଥା କହିଛନ୍ତି ଅକ୍ଷୟ ପରିଜା ।
ଏନେଇ ଅକ୍ଷୟଙ୍କ ଓକିଲ କହିଛନ୍ତି, "ତଦନ୍ତ ଜାରି ରହିଥିବାରୁ ଅଧିକ କହିବା ଠିକ ନୁହେଁ । ଏହି ଘଟଣାରେ ଆମକୁ ଯାହାଯାହା ତଥ୍ୟ ମଗାଯାଇଥିଲା ଆମେ ଇଡି ଅଧିକାରୀଙ୍କୁ ଯୋଗାଇଦେଉଛୁ । ଆମେ ପୀଡିତା ହିସାବରେ ଆମେ ନ୍ୟାୟ ଚାହୁଁଛୁ । ଏହା ପଛରେ ଏକ ଷଡଯନ୍ତ୍ର ରହିଛି ତାହା ପଦାକୁ ଆସିବା ନିହାତି ଦରକାର ।"
ଇଟିଭି ଭାରତ, ଭୁବନେଶ୍ବର