ଭୁବନେଶ୍ବର: ପଣ୍ଡ ହେଲା ଲୁଟର ଉଦ୍ୟମ । ଆତଙ୍କ ରଚିବା ପୂର୍ବରୁ କାବୁ କରିନେଲା କମିଶନରେଟ ପୋଲିସ୍ । ନିଶାଦେଇ ଲୁଟପାଟ ଯୋଜନା ବେଳେ ଧରିଲା ପୋଲିସ୍ । ଦୀର୍ଘ ଦିନ ଧରି ମାଷ୍ଟରକ୍ୟାଣ୍ଟିନରେ ଆତଙ୍କ ରଚୁଥିବା ମୁସ୍କାନ ଓରଫ ସରିଫା ଖାତୁନ ଓ ତାର ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମୁସ୍କାନ ସମେତ ତାର ତିନି ସହଯୋଗୀ ଅଶୋକ ବେହେରା, ସୁଶାନ୍ତ ରାଉତ ଓ ପୁର୍ଣ୍ଣ ଚନ୍ଦ୍ର ସେଠୀକୁ ଧରିବାରେ ସଫଳ ହୋଇଛି ଖାରବେଳ ନଗର ପୋଲିସ ।
ଭୁବନେଶ୍ୱର ଜୋନ ୧ ଏସିପି ମାନସ ଗଡ଼ନାୟକ କହିଛନ୍ତି, ‘‘ଗିରଫ ୪ ଅଭିଯୁକ୍ତ ରିଲାଏନ୍ସ ମଲ ପଛପଟେ ଏକ ଲୁଟ ଯୋଜନା କରୁଥିଲେ। ଏହି ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଏମାନଙ୍କୁ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗର ମାଷ୍ଟମାଇଣ୍ଡ ମୁସ୍କାନକୁ ହେପାଜତରେ ନିଆଯାଇଛି । ଗତ କିଛି ଦିନଧରୀ ମୁସ୍କାନ ଓ ତାର ଗ୍ୟାଙ୍ଗ ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ଟ୍ରାପ କରୁଥିଲା । ବିଶ୍ବାସ ଜିତି ଖାଦ୍ୟର ଦେଉଥିଲେ ନିଶା ଓ ତାପରେ ଲୁଟି ନେଉଥିଲେ ଯାତ୍ରୀଙ୍କୁ । ଏହାସହ ନିଜ ସହଯୋଗୀଙ୍କ ଜରିଆରେ ଟ୍ରେନ ଫେରନ୍ତା ଯାତ୍ରୀ ଓ ମାଷ୍ଟରକାଣ୍ଟିନ ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କୁ କରୁଥିଲା ଶିକାର । ନିରୀହ ଯାତ୍ରୀଙ୍କୁ ନିଜର ନିଛାଟିଆ ସ୍ଥାନକୁ ନେଇ ମୋବାଇଲ ଛଡାଇ ଧମକ ଚମକ ଦେଇ ଲୁଟୁଥିଲେ ।’’
ଏହା ମଧ୍ୟ ପଢନ୍ତୁ....ଫେସବୁକରେ ଲାଇଭ କରି ଝୁଲି ପଡିଲେ ମେଡିସିନ ଦୋକାନୀ
ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁସ୍କାନ ଯାତ୍ରୀ ହେବାର ବାହାନାରେ ନିଜ ସହଯୋଗୀଙ୍କ ଅଟୋରେ ଅନ୍ୟ ରେଳଯାତ୍ରୀଙ୍କ ସହ ଅଟୋରେ ବସି ଯାଉଥିଲା । ଏବଂ ନିଛାଟିଆରେ ସେମାନଙ୍କୁ ନିଶା ଦ୍ରବ୍ୟ ସେବନ କରାଇ ଲୁଟ ନେଉଥିଲେ । ତେବେ ଏହି ପାର୍ବଣ ଋତୁରେ ଏମିତି ଲୁଟ ପାଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ମୁସ୍କାନ ସହ ତିନି ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ଠାରୁ କିଛି ଥଣ୍ଡା ବୋତଲ, ନିଶା ବଟିକା, ବିସ୍କୁଟ ଓ ଛୁରୀ ମଧ୍ୟ ଜବତ କରାଯାଇଛି । ଆଗକୁ ପାର୍ବଣ ଥିବାରୁ ଏମାନଙ୍କ ଉପରେ ଦଫା ୧୧୦କୁ ଭାଓଲେସନ କରିଥିବାକୁ ନେଇ କୋର୍ଟରେ ହାଜର କରିଥିଲେ । ଏଥିସହ ସେମାନଙ୍କୁ ତଡିପାର ପାଇଁ ମଧ୍ୟ ଯୋଜନା ଚାଲିଛି ।’’
ଇଟିଭି ଭାରତ, ଭୁବନେଶ୍ବର