ରାଷ୍ଟ୍ରପତିଙ୍କୁ ଉପହାର ଦେବାକୁ ଉତ୍କଣ୍ଠା, ସ୍କୁଲରୁ ସିଧା ରମାଦେବୀକୁ ଆସିଲେ 5ମ ଶ୍ରେଣୀ ଛାତ୍ରୀ - ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ
ଦୁଇ ଦିନିଆ ଗସ୍ତରେ ଓଡିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରେ ତାଙ୍କର ରାମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଅଧିକ ପଢନ୍ତୁ
ଭୁବନେଶ୍ବର: ଆଜିଠୁ ଦୁଇ ଦିନିଆ ଗସ୍ତରେ ଓଡିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଥିଲେ । ଭୁବନେଶ୍ବରରେ ତାଙ୍କର ରାମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତେଣୁ ତାଙ୍କୁ ବିଶ୍ବବିଦ୍ୟାଳୟରେ ଦେଖା କରିବା ପାଇଁ ତାଙ୍କର ଅନେକ ଶୁଭେଚ୍ଛୁ ଅପେକ୍ଷା କରି ରହିଥିଲେ । କିଏ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିବାକୁ ଠିଆ ହୋଇଥିବା ବେଳେ କିଏ ତାଙ୍କୁ ଉପହାର ଦେବା ନେଇ ଅପେକ୍ଷା କରିଥିଲେ । ଏହାରି ଭିତରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ସ୍କୁଲରୁ ସିଧା ଧାଇଁଆସିଥିଲେ ରମାଦେବୀ ବିଶ୍ବବିଦ୍ୟାଳୟ ପାଖକୁ । ଏହା ସହିତ ସେ ହାତରେ ଧରିଥିଲେ ମହାମହିମଙ୍କ ହାତ ତିଆରି ଚିତ୍ର । ଏହା ସହିତ ଯାଜପୁରରୁ କଳାକାର 4କିଲୋ ଦେଶୀ ପାଟଣି ଧାନରେ 3/4 ଫୁଟର ଏକ କୋଣାର୍କ ମନ୍ଦିରର ପ୍ରତିକୃତି ନିର୍ମାଣ କରି ରାଷ୍ଟ୍ରପତିଙ୍କୁ ଉପହାର ଦେବା ଆଶାରେ ଅପେକ୍ଷା କରିଥିବାର ନଜର ଆସିଥିଲା ।
ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ପ୍ରଥମ ଥର ନିଜ କଲେଜ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇଦିନିଆ ଓଡିଶା ଗସ୍ତର ପ୍ରଥମ ଦିନରେ ଆଜି ଅପରାହ୍ନ ୪ଟା ୧୫ ସମୟରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପହଞ୍ଚିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିଥିଲେ ।
୨ୟ ଥର ଓଡିଶା ଗସ୍ତର ପ୍ରଥମ ଥର ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏଥିରେ ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧି ଦିଆଯାଇଥିଲା । ଡ଼. ସୌମ୍ୟ ସ୍ବାମୀନାଥନଙ୍କୁ ଡିଏସସି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣମାସି ଜାନିଙ୍କୁ ଡିଲିଟ, ପଦ୍ମଶ୍ରୀ ସୁନିଥା କ୍ରିଷ୍ଣନ୍ଙ୍କୁ ଡିଲିଟ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙଅକୁ ଡିଲିଟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଯଥାକ୍ରମେ ସାଇନ୍ସ ଓ ଟେକ୍ନୋଲୋଜି, କ୍ରିଏଟିଭ ଲିଟରେଚର ଏବଂ ସୋସିଆଲ ୱାର୍କ ସୋସିଆଲ ସର୍ଭିସ ଏବଂ ଓମେନ୍ ଏମ୍ପାୱରମେଣ୍ଟ, କ୍ଲାସିକାଲ ଡ୍ୟାନ୍ସ, ଆର୍ଟ ଏବଂ କଲଚର ପାଇଁ ସମ୍ମାନିତ କରାଯାଇଥିଲା । ଏହା ସହ ୭୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ବେଷ୍ଟ ସାଇନ୍ସ, କମର୍ସ, ଆର୍ଟସ ଏବଂ ବେଷ୍ଟ ୟୁନିଭରସିଟି ଗ୍ରାଜୁଏଟ ୨୦୨୨ଙ୍କୁ ସମ୍ମାନିତ କରାଯିବ । ଏହି ଅବସରରେ ରାଷ୍ଟ୍ରପତିଙ୍କ ସ୍କୁଲ ଓ କଲେଜ ସମୟର 30ଜଣ ସହପାଠୀନିଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସୁଯୋଗ ପାଇ ଖୁସି ବ୍ୟକ୍ତ କରିଥିଲେ ସହପାଠୀନି । ସେପଟେ ରାଷ୍ଟ୍ରପତିଙ୍କ ଫଟୋଚିତ୍ର ଆଙ୍କି ଉପହାର ଦେବାର ଆଶା ନେଇ ଆସିଥିଲେ ଭେଂକେଟେଶ୍ବର ସ୍କୁଲର 5ମ ଶ୍ରେଣୀର ଛାତ୍ରୀ ଅଙ୍କିତା ଦାସ । ସେହିଭଳି ଯାଜପୁରରୁ ଜଣେ କଳାକାର 4କିଲୋ ଦେଶୀ ପାଟଣି ଧାନରେ 3/4 ଫୁଟର ଏକ କୋଣାର୍କ ମନ୍ଦିରର ପ୍ରତିକୃତି ନିର୍ମାଣ କରି ରାଷ୍ଟ୍ରପତିଙ୍କୁ ଉପହାର ଦେବା ଆଶାରେ ଅପେକ୍ଷା କରି ରହିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର