ଭୁବନେଶ୍ବର: ଭାରତ ସରକାରଙ୍କ ରୋଜଗାର ମିଶନ ଯୋଜନା ଅଧୀନରେ ଓଡିଶା ଡାକ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ନବମ ରୋଜଗାର ମେଳା ଆୟୋଜନ କରାଯାଇଥିଲା । ଏହି ମିଶନ ଜରିଆରେ କେନ୍ଦ୍ର ସରକାର ୧୦ ଲକ୍ଷ ନୂତନ ନିଯୁକ୍ତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ଯାହା ଏହି ନବମ ପର୍ଯ୍ୟାୟରେ ପୂରଣ ହୋଇଛି । ସେପଟେ ରାଜ୍ୟରେ ୩୯୩ ଜଣଙ୍କୁ ମିଳିଲା ନିଯୁକ୍ତି ।
ଆଜି ରୋଜଗାର ମେଳାର ନବମ ପର୍ଯ୍ୟାୟରେ ଦେଶର ୫୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ ପିଏମ ମୋଦି ନିଯୁକ୍ତି ପତ୍ର ବାଣ୍ଟିବା ସହିତ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ୩୯୩ଜଣ ଯୁବକ ଯୁବତୀଙ୍କୁ ମଧ୍ୟ ନିଯୁକ୍ତି ପତ୍ର ବଣ୍ଟାଯାଇଛି । ଭୁବନେଶ୍ବର ରେଲୱେ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟମ ମନ୍ତ୍ରାଳୟର ଭାନୁପ୍ରତାପ ସିଂହ ବର୍ମା ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ- Rozgar Mela: ଦିନକେରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ
ନିଯୁକ୍ତି ମେଳାର ଏହି ନବମ ପର୍ଯ୍ୟାୟରେ ୧୦ଟି କେନ୍ଦ୍ରୀୟ ଅନୁଷ୍ଠାନର ମୋଟ ୩୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥି ନବନିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ୧୬୦ ଜଣ ମହିଳା ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ଅନୁସୂଚିତ ଜାତି ବର୍ଗରୁ ୬୩ ଜଣ, ଅନୁସୂଚିତ ଜନଜାତି ବର୍ଗରୁ ୬୬ ଜଣ, ଅନ୍ୟ ପଛୁଆ ବର୍ଗରୁ ୯୬ ଜଣ ଏବଂ ଦିବ୍ୟାଙ୍ଗ ବର୍ଗରୁ ୩ ଜଣ ପ୍ରାର୍ଥୀ ନିଯୁକ୍ତ ପାଇଛନ୍ତି। ଏହି ମେଳାରେ ଭାରତୀୟ ଡାକ ବିଭାଗର ମୋଟ ୨୦୭ ଜଣ ନବ ନିଯୁକ୍ତ ପ୍ରାର୍ଥୀଙ୍କ ମଧ୍ୟରେ ୧୦ ଜଣ ଡାକ ନିରୀକ୍ଷକ, ୧୦ଜଣ ଡାକ ସହାୟକ ଓ ୧୮୭ ଜଣ ଗ୍ରାମୀଣ ଡାକ ସେବକ ରହିଛନ୍ତି ।
ଏହା ସହ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର (ସିଜିଏସଟି) ବିଭାଗରେ ୭ଜଣ, ଆଇ.ଆଇ.ଟି ଭୁବନେଶ୍ବରରେ ୫୮ ଜଣ, ଆୟକର ବିଭାଗରେ ୧୪ ଜଣ, କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି)ରେ ୬ ଜଣ, ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଭୁବନେଶ୍ବରରେ ୬୩ ଜଣ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ୪ ଜଣ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତିରେ ୨ଜଣ, ଭାରତୀୟ ଖାଦ୍ୟ ନିଗମରେ ୬ଜଣ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୨୫ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛାତ୍ରଛାତ୍ରୀ ଧନ୍ୟବାଦ ଜଣାଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର