ଭୁବନେଶ୍ବର: ମୌସୁମୀ ବର୍ଷା ପରେ ଏବେ ରାଜ୍ୟରେ ମୁଣ୍ଡ ଟେକିଛି ଡେଙ୍ଗୁ । ଚଳିତ ବର୍ଷ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୪୬୪ ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୮୫ ଡେଙ୍ଗୁ ସଂକ୍ରମିତ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ରାଜଧାନୀରୁ ୯୩ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ବଢିଛି । ସେପଟେ ଘରଦ୍ବାର ସମେତ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନତା ରଖିବାକୁ ବିଏମସି ରାଜଧାନୀବାସୀଙ୍କୁ ଅନୁରୋଧ କରିଛି ।
ଏନେଇ ଭୁବନେଶ୍ବର ମହାନଗର ନିଗମ, ସ୍ବାସ୍ଥ୍ୟ ବିଭାଗ ମିଳିତ ସହଯୋଗରେ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ମଶାତେଲ ପକାଯିବା ସହିତ ମଶାଧୂଆଁ ଛଡ଼ାଯାଉଛି। ଏହାସହିତ ଅଧିକାରୀମାନେ କ୍ଷେତ୍ରକୁ ଯାଇ ସଚେତନତା କରୁଛନ୍ତି । ଚଳିତ ବର୍ଷ ପ୍ରତି ଘରେ ‘ମୁଁ ବି ଡେଙ୍ଗୁ ସ୍ବଚ୍ଛାସେବୀ’ କାର୍ଯ୍ୟ କରିବେ । ପୂର୍ବରୁ ରାଜ୍ୟରେ ୩୭ଟି କେନ୍ଦ୍ରରେ ଡେଙ୍ଗୁ ନମୁନା ପରୀକ୍ଷା କରାଯାଉଥିବାବେଳେ ଏବେ ଏଥିରେ ଆଉ ତିନି କେନ୍ଦ୍ର ଯୋଡି ହେବାକୁ ଯାଉଛି । ନୂଆକରି ତାଳଚେର, ଗୁଣପୁରୁ ଏବଂ ଆରଜିଏଚ୍ରେ ଏଣିକି ଡେଙ୍ଗୁ ପରୀକ୍ଷା କରାଯିବ ବୋଲି ଜଣାପଡିଛି।
ଏହା ବି ପଢନ୍ତୁ- ରାଜଧାନୀରେ ସବଳ ହେଉଛି ଡେଙ୍ଗୁ, ସଚେତନତା କଥା କହି ଭୁଲିଗଲା ବିଏମସି !
ଅନ୍ୟପକ୍ଷରେ ଗତ ବର୍ଷ ଅର୍ଥାତ ୨୦୨୨କୁ ତୁଳନା କଲେ ଏହି ସମୟରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଉପରେ ରହିଥିଲା । ଏପଟେ ରାଜଧାନୀରେ ବୋଲ ମାନୁନି ଡେଙ୍ଗୁ । ୱାର୍ଡକୁ ୱାର୍ଡ ଡେଉଁଛି ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ୯୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସମୀକ୍ଷା କରାଯାଇ ପଦକ୍ଷେପ ଆରମ୍ଭ ହୋଇଛି । ଜୁନ ସୁଦ୍ଧା ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସଂକ୍ରମିତଙ୍କ ସଂଖ୍ୟା କମ ରହିଛି ତଥାପି ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି । ବିଶେଷ କରି ଗୋଷ୍ଠୀ ସହଭାଗିତା ସହିତ ସର୍ବେକ୍ଷଣ ଓ ପରୀକ୍ଷଣକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଡ୍ରାଏ ଡେ’ ପାଳନ ଅବସରରେ ଏହି ସ୍ବେଚ୍ଛାସେବୀମାନେ ନିଜ ନିଜ ଘରେ କାର୍ଯ୍ୟ କରି ଡେଙ୍ଗୁ ସଚେତନତା କରାଇବେ। ସେହିପରି ରାଜଧାନୀରେ ନୂଆପଲ୍ଲୀ, ସାଲିଆସାହି, ପୋଖରୀପୁଟ ବିଭିନ୍ନ ବସ୍ତି ଆଦି ଅଞ୍ଚଳରେ ବ୍ୟାପକ ସଚେତନତା କରାଯାଉଛି । ମଶା ବଂଶ ବୃଦ୍ଧି ଯେଭଳି ନହେବେ ସେଥିପାଇଁ ମଶାଉତ୍ସକୁ ନଷ୍ଟ କରାଯାଉଛି।
ଗତ ବର୍ଷଗୁଡ଼ିକର ଡେଙ୍ଗୁ ରିପୋର୍ଟ:- ତେବେ ରାଜ୍ୟରେ ବିଗତ ବର୍ଷରେ ଡେଙ୍ଗୁ ତଥ୍ୟ ଦେଖିଲେ ୨୦୨୩ ମସିହା ଜୁନ ମାସ ଶେଷ ସୁଦ୍ଧା ୧୧,୪୬୪ ପରୀକ୍ଷଣ ହୋଇଥିବା ବେଳେ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ୨୦୨୨ ମସିହାରେ ୫୪,୧୯୦ ପରୀକ୍ଷଣ ହୋଇଥିବା ବେଳେ ୭୦୬୩ ଜଣ ସଂକ୍ରମିତ ହୋଇଛନ୍ତି । ୨୦୨୧ ମସିହାରେ ୪୨,୬୩୮ ପରୀକ୍ଷଣ ହୋଇଥିବା ବେଳେ ୭୫୪୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଭାବରେ ୨୦୨୦ ମସିହାରେ ଦେଖିଲେ ୫୫୮୨ ପରୀକ୍ଷଣ କରାଯାଇଥିବା ବେଳେ ୪୯୬୦ ଜଣ ସଂକ୍ରମିତ ହୋଇଥିଲେ। ୨୦୧୯ ମସିହାରେ ୨୮,୪୯୭ ପରୀକ୍ଷଣ କରାଯାଇଥିବା ବେଳେ ୩୭୫୮ ଜଣ ସଂକ୍ରମିତ ହୋଇଛନ୍ତି । ୨୦୧୮ ମସିହାରେ ୩୦,୬୩୬ ପରୀକ୍ଷଣ ହୋଇଥିବା ବେଳେ ୫୧୯୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ଇଟିଭି ଭାରତ, ଭୁବନେଶ୍ବର