କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ବାଘ । ୩ ରୁ ୪ ବର୍ଷ ବୟସର ଏହା ଏକ ଅଣ୍ଡିରା ମହାବଳ ବୋଲି ବନ ବିଭାଗ ସୂଚନା ଦେଇଛି । ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ଲୋକଙ୍କ ସୁରକ୍ଷା ସହ ବାଘର ସୁରକ୍ଷାକୁ ନଜରରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜଙ୍ଗଲ ନିକଟ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ରାସ୍ତାରେ ବ୍ୟାରିକେଡ୍ ଲଗାଯାଇଥିବା ଡିଏଫ୍ଓ ଧନରାଜ ଏଚ୍ଡି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ , ବାଘ ମନିଟରିଂ ପାଇଁ ଜଣେ ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍ ଫରେଷ୍ଟ (ଏସିଏଫ୍) ଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଗଠନ କରାଯାଇଛି । ବାଘର ଗତିବିଧ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି । ପୂର୍ବରୁ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅପରାଧୀମାନଙ୍କ ଉପରେ ନଜର ରଖାଯାଇଛି । ବନବିଭାଗ ପକ୍ଷରୁ ବାଘ ଚଳପ୍ରଚଳ କରୁଥିବା ଶିମିଳିପାଳ , ସାତକୋଶିଆ , ଆନନ୍ଦପୁର , ଘଟଗାଁ ରେଞ୍ଜର ଅଟେଇ ଏବଂ ରେବଣା ଜଙ୍ଗଲରେ ସ୍ଵତନ୍ତ୍ର ଦୃଷ୍ଟି ରଖାଯାଇଥିବା ଡିଏଫ୍ଓ କହିଛନ୍ତି । ବିଶେଷକରି ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ରହିଥିବାରୁ ସେ ଏଠାରେ ବିଚରଣ କରୁଛି । ଏଥିପାଇଁ ବନ ବିଭାଗ ପକ୍ଷରୁ ପୋଲିସର ସହଯୋଗ ମଧ୍ୟ ନିଆଯାଉଛି ।
ସେହିପରି କେନ୍ଦୁଝର ବନଖଣ୍ଡ ପକ୍ଷରୁ ଶିମିଳିପାଳ ବାଘ ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ , କରଞ୍ଜିଆ ଡିଏଫ୍ଓ , ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍ଓଙ୍କ ସହିତ ସମନ୍ଵୟ ରକ୍ଷା କରି କାର୍ଯ୍ୟ ସମ୍ପାଦିତ କରାଯାଉଛି । ଏତଦ୍ ବ୍ୟତୀତ ଜିଲାସ୍ତରରେ ଟାସ୍କ ଫୋର୍ସ ତଥା ରାଜ୍ୟ ଟାସ୍କ ଫୋର୍ସଙ୍କ ସହାୟତା ନିଆଯାଉଛି । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୧.୪ କି.ମି ପରିଧିରେ ଗୋଟିଏ ଲେଖାଏଁ ତଥା ୪୫ଟି କ୍ୟାମେରା ଲଗାଯାଇଛି। ଜଙ୍ଗଲ ମଧ୍ୟ ଦେଇ ୪ ଟି ରାସ୍ତାରେ ବ୍ୟାରିକେଡ଼ କରି ଲୋକଙ୍କ ଯାତାୟାତ ଉପରେ କଟକଣା କରାଯାଇଛି । ଏଥିସହ ଜଙ୍ଗଲରେ ରହୁଥିବା ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବା ପାଇଁ ସଚେତନ କରାଯାଉଛି ।
ତେବେ ବିଶେଷକରି ରାତି ସମୟରେ ଉକ୍ତ ଅଞ୍ଚଳରେ ଚଳପ୍ରଚଳ ନ କରିବା , ଜଙ୍ଗଲ ଭିତରକୁ ନ ଯିବାକୁ କୁହାଯାଉଛି । ଲୋକଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଦୃଷ୍ଟି ଦିଆଯାଇ ଆମ ଜଙ୍ଗଲ ଯୋଜନାରେ ବିଭିନ୍ନ ପଦକ୍ଷେପ ନିଆଯିବ । ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କୁ ଜିଆଖତ ଦିଆଯିବା ସହିତ ପଥରବନ୍ଧ , ଚେକ୍ଡ୍ୟାମ ଏବଂ ଅନ୍ୟ ଜଙ୍ଗଲ କାମରେ ନିୟୋଜିତ କରାଯିବ । ଉକ୍ତ ଅଞ୍ଚଳରେ ଥିବା ୪ ବନ ସୁରକ୍ଷା ସମିତି ଜରିଆରେ ଏହି ସବୁ କାମ ଯୋଗାଇ ଦିଆଯିବ। ପ୍ରକାଶ ଯେ , ବାଘର ଉପସ୍ଥିତିକୁ ନେଇ କେହି ଦେଖି ନ ଥିବା ବେଳେ ଟ୍ରାପ୍ କ୍ୟାମେରାରେ ଫଟୋ ଉତ୍ତୋଳନ ହୋଇଛି । ଏହାକୁ ନେଇ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ହାତୀ ପରେ ବାଘର ଭୟ ସମସ୍ତଙ୍କୁ ଘାରିଛି ।
ଇଟିଭି ଭାରତ, କେନ୍ଦୁଝର