କେନ୍ଦୁଝର: ଧାନର ଅଭାବି ବିକ୍ରି ନେଇ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି । ଏହି ଅଭିଯୋଗ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ନବ ନିର୍ମାଣ କୃଷକ ସଂଗଠନ । ୪ ଦଫା ଦାବି ନେଇ କାର୍ଯ୍ୟାଳୟ ଘେରାଉ କରିବା ସହ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଚଳିତ ଖରିଫ ଋତୁରେ ସରକାରଙ୍କ ନିର୍ଦ୍ଦେଶ ମୁତାବିକ ଚାଷୀମାନେ ବିଭିନ୍ନ ସରକାରୀ ସଂସ୍ଥା ମାଧ୍ୟମରେ ଧାନ ବିକ୍ରି କରିଥିଲେ । ମାତ୍ର ବହୁ ଚାଷୀଙ୍କର ଟୋକନ ଆସିଥିଲେ ମଧ୍ୟ ସରକାର ତାଙ୍କ ଧାନ କିଣି ନଥିଲେ । ଏପରିକି ମାସ ମାସ ବିତି ଯାଇଥିଲେ ସୁଦ୍ଧା କିପରି ଏହାର ସମାଧାନ କରାଯିବ, ସେ ନେଇ କିଛି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏପଟେ ରାଜ୍ୟରେ ମୌସୁମୀ ପହଞ୍ଚିବାକୁ ଥିବାବେଳେ ଧାନ ବିକ୍ରି ନେଇ କୃଷକର ହାତ ଖାଲି ରହିଛି ।
ଚାଷୀଙ୍କର ଏପରି ଅନେକ ସମସ୍ୟା ସହ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ନବ ନିର୍ମାଣ କୃଷକ ସଂଗଠନ । ଆଗାମୀ ୭ ଦିନ ମଧ୍ୟରେ ଯଦି ଚାଷୀଙ୍କ ଦାବିର ସମାଧାନ କରାନଯାଏ, ଆଗାମୀ ଦିନରେ ହଜାର ହଜାର ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଏନେଇ ସଂଗଠନ ପକ୍ଷରୁ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ