କେନ୍ଦୁଝର: ଅଡୁଆରେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ । କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ବଡ ଧରଣର ଆୟକର ରେଡ୍ ହୋଇଛି । ଆୟକର ବିଭାଗ ଆଜି ସକାଳୁ ତାଙ୍କର ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ଯୋଡ଼ା ସାଇ ମନ୍ଦିର ନିକଟସ୍ଥ ବାସଭବନ ଏବଂ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି । ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଥିବା ସୂଚନା ମିଳିଛି । ଏହାସହ ତାଙ୍କ ସହଯୋଗୀ ଶରତ ଚନ୍ଦ୍ର ନାଏକଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ତନାଘନା ଜାରି ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଚମ୍ପୁଆ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ମଧ୍ୟ ଆୟକର ରେଡ ହୋଇଥିଲା । ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା ଆୟକର ବିଭାଗ । ଭୁବନେଶ୍ବର, କେନ୍ଦୁଝର ଓ ଯୋଡା ସମେତ ମୋଟ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ମାମଲାରେ ଏହି ଚଢାଉ ହୋଇଥିଲା । ସନାତନଙ୍କ ଦ୍ବାରା ପରିଚାଳିତ ଜଗତ ଜନନୀ ସେବା ଟ୍ରଷ୍ଟର ଆୟବ୍ୟୟର ହିସାବ ନିକାସ ପାଇଁ ରେଡ୍ କରାଯାଇଥିଲା । ରେଡ୍ ବେଳେ ସନାତନ ମହାକୁଡ ଅସୁସ୍ଥ ଥିବାରୁ ଭୁବନେଶ୍ବରରେ ରହିଥିଲେ । ସେ କେଉଁ ସୂତ୍ରରୁ ଆୟ ଅର୍ଜନ କରୁଛନ୍ତି ସେନେଇ ବହୁ ଦିନରୁ ନଜର ଥିଲା । ତେଣୁକରି ଗତ ମେ' ୧୧ ତାରିଖରେ ବିଭାଗର ୧୧ ଜଣିଆ ଟିମ୍ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କର ତନାଘନା କରିଥିଲେ ।
ଏହାମଧ୍ୟ ପଢନ୍ତୁ : ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍
ସନାତନ ମହାକୁଡ ସ୍ବାଧୀନ ବିଧାୟକ ହୋଇଥିଲେ ହେଁ ବିଜେଡି ଦଳ ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ । ସେ ଗତ ବିଧାନସଭା ଓ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ଦଳ ପାଇଁ କାର୍ଯ୍ୟ କରିଥିଲେ । ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ନେଇ ବିଜେପି ପକ୍ଷରୁ ଆୟକର ଚଢାଉ ପାଇଁ ଦାବି ହୋଇଆସୁଥିଲା । ତାଙ୍କର ପରେ ଟିକସ ଫାଙ୍କିଆ ମାମଲାରେ ଏବେ ଚମ୍ପୁଆର ଆଉ ଜଣେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଆୟକର ବିଭାଗ ସ୍କାନରକୁ ଆସିଛନ୍ତି । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜିତେନ୍ଦ୍ର ନାଥ ଓରଫ ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ରେଡ୍ କରିଥିଲା ।
ଇଟିଭି ଭାରତ, କେନ୍ଦୁଝର