କେନ୍ଦୁଝର: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ବୁଧବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଟଣ୍ଟୋ ଆଜାଦ୍ ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଛି । ଦିଅର ଭାଉଜଙ୍କ ଅନୈତିକ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତି ଟଂଟୋ ଆଜାଦ୍ ବସ୍ତିର ଜେନା ମୁଣ୍ଡା କାମରୁ ଘରକୁ ଫେରିବା ପରେ ଘର ଭିତରେ ନିଜ ସ୍ତ୍ରୀ ପୁଣୁଗୀ ମୁଣ୍ଡା ଓ କକାପୁଅ ଭାଇ କୁନା ମୁଣ୍ଡାକୁ ଅସଞ୍ଜତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇ ଉଠିଥିଲେ । ସେ ପ୍ରବଳ ରାଗିଯାଇ ଉଭୟଙ୍କୁ ବାଡ଼ି ଓ ରଡ୍ ସାହାଯ୍ୟରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଉଭୟ ଦିଅର ଭାଉଜ ଗୁରୁତର ଆହତ ହୋଇଥିଲେ ।
ଏହାପରେ ସ୍ୱାମୀ ଜେନା ମୁଣ୍ଡା ସ୍ତ୍ରୀ ପୁଣୁଗୀ ମୁଣ୍ଡାର ସମସ୍ତ ଜିମା ନେବାକୁ କୁନାକୁ କହିଥିଲେ ଓ ଗୁରୁତର ସ୍ତ୍ରୀକୁ ନେଇ ଗୁଡ଼ୁ ହଟିଙ୍ଗ୍ ସ୍ଥିତ କୁନାଙ୍କ ଘରେ ଛାଡ଼ିଦେଇ ଆସିଥିଲେ । ତେବେ କିଛି ସମୟ ପରେ ପୁଣୁଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଅର କୁନାକୁ ଗୁରୁତର ଅବସ୍ଥାରେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେ ଏବେ ଚିକିତ୍ସାଧିନ ଅଛନ୍ତି । ଏପଟେ ଅଭିଯୁକ୍ତ ସ୍ୱାମୀ ଜେନା ମୁଣ୍ଡାକୁ ପୋଲିସ ଗିରଫ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ