କେନ୍ଦୁଝର: ନୂତନ ବର୍ଷ ଆରମ୍ଭରେ ଦର୍ଶନ ଦେବେ ମା ତାରିଣୀ । କୋରୋନା ମହାମାରୀର ରୂପ ନେବା ପରେ ସାରା ଦେଶରେ ଲକ ଡାଉନ ଘୋଷଣା କରିଥିଲେ ସରକାର । ଏହି ଲକ ଡାଉନ ଓ ପରେ ସଟ ଡାଉନ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ମନ୍ଦିର ଆଦି ବନ୍ଦ କରାଯାଇଥିଲା । କିନ୍ତୁ ପରେ କେନ୍ଦ୍ର ସରକାର ସ୍ଥାନୀୟ ରାଜ୍ୟ ସରକାରଙ୍କ ଉପରେ ଶିକ୍ଷାନୁଷ୍ଠାନ ଓ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ । ଏହାପରେ ମନ୍ଦିର ଖୋଲିବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଥିଲା ।
ଏପଟେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ମା ତାରିଣୀ ଓ ବଳଦେବଜୀଉଙ୍କ ମନ୍ଦିର ଖୋଲିବ ବୋଲି ଭକ୍ତ ଦାବି କରି ଆସୁଥିଲେ । ଭକ୍ତଙ୍କ ଭାବାବେଗକୁ ଦେଖି ଜିଲ୍ଲା ପ୍ରଶାସନ ଓ ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ମଧ୍ୟରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ଆସନ୍ତା ୨୦୨୧ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ଖୋଲିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ କୋବିଡ଼ ଗାଇଡ଼ ଲାଇନ ପାଳନ କରି ଭକ୍ତ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ