କେନ୍ଦୁଝର: କୋରୋନା ମହାମାରୀରେ ସାରା ଦେଶ ବ୍ୟତିବ୍ୟସ୍ତ । ଏହି କୋରୋନା ଯୋଗୁଁ ବହୁ ଲୋକଙ୍କ ଜୀବନ ହାନୀ ଘଟିଛି । ବହୁ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଥିବା ବେଳେ ବହୁ ଲୋକଙ୍କ ରୋଜଗାର ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି । ବିଶେଷ କରି ଯୁବପୀଢିଙ୍କ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ରୋଜଗାର ଦେଉଥିବା ଅନୁଷ୍ଠାନ ଗୁଡିକ ବନ୍ଦ ହେବା ଫଳରେ ଯୁବପିଢ଼ି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ, ଏହି କୋରୋନାରେ ରୋଜଗାର ହାତଛଡା ହୋଇଯାଇଥିଲେ ହେଁ ଏଥିରେ ବ୍ୟଥିତ ନହୋଇ ନିଜକୁ ଗଢି ତୋଳିବାକୁ ଚେଷ୍ଟା କରିଛନ୍ତି କେନ୍ଦୁଝର ସହରର ଜଣେ ଯୁବକ ।
ଉଚ୍ଚ ବେତନ ଚାକିରୀ ଯିବା ପରେ ଅନ୍ୟ ଚାକିରୀ ପଛରେ ନପଡ଼ି ନିଜକୁ ସ୍ୱାବଲମ୍ବୀ କରିବାକୁ ଅଣ୍ଟା ଭିଡିଛନ୍ତି ରାକେଶ ସାହୁ । ସରକାରୀ ସହାୟତାରେ ଆରମ୍ଭ କରିଛନ୍ତି ବାୟୋଫ୍ଲକ ମାଛ ଚାଷ । ଆଧୁନିକ ଫୋରେଷ୍ଟ ନାମକ ଅନୁଷ୍ଠାନ ଗଢି ନିଜର ବାଡ଼ିରେ ଉନ୍ନତ ପ୍ରଣାଳୀର ମାଛ ଚାଷ ପାଇଁ 6 ଟି ମାଛ କୁଣ୍ଡ ନିର୍ମାଣ କରିଛନ୍ତି । ସରକାରୀ ସହାୟତା ଛଡା ନିଜର କିଛି ପୁଞ୍ଜି ନିବେଶ କରି ଏଥିରେ ଅଧିକ ଉତ୍ପାଦନକ୍ଷମ ଥିବା ମାଛ ଚାଷ ଆରମ୍ଭ କରିଛନ୍ତି ।
ବିଶେଷ କରି ରାକେଶ ମଧୁର ଜଳ ଚିଙ୍ଗୁଡ଼ି ଚାଷ ଆରମ୍ଭ କରିଛନ୍ତି । ସେ ନିଜେ ରୋଜଗାରକ୍ଷମ ହେବା ସହ କିଛି ବେରୋଜଗାର ଥିବା ଯୁବକଙ୍କୁ ମଧ୍ୟ କାର୍ଯ୍ୟ ଯୋଗାଉଛନ୍ତି । ଏହି ନୂତନ ପ୍ରଣାଳୀର ବାୟୋଫ୍ଲକ ଚାଷ ଜିଲ୍ଲାରେ ନୂଆ ନହୋଇଥିଲେ ମଧ୍ୟ ଯୁବ ଉଦ୍ୟୋଗୀ ହେବାକୁ ପ୍ରୟାସ କରିଥିବା ରାକେଶଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିବା ଜିଲ୍ଲା ମାତ୍ସ୍ୟ ପାଳନ ଅଧିକାରୀ ପ୍ରକାଶ କରିଛନ୍ତି । ଏହାସହ ଯୁବ ଉଦ୍ୟୋଗୀଙ୍କ ଉତ୍ସାହ ଦେଖି ସମସ୍ତ ନୂତନ ଜ୍ଞାନ କୌଶଳ ଟ୍ରେନିଂ ଦିଆଯାଉଥିବା ଅଧିକାରୀ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ