କେନ୍ଦୁଝର: ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଶାଳ କାଠ ଜବତ । ଆନନ୍ଦପୁର ଡିଏଫଓ ଅଜିତ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ବନ ବିଭାଗର ଚଢାଉ ବେଳେ ଜବତ ହୋଇଛି କାଠ । ଜବତ ହୋଇଥିବା କାଠକୁ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାନୁଯାୟୀ ଦେଉଗାଁ ରେଞ୍ଜ ହରିଚନ୍ଦନପୁର ବନପାଳ ଅଧିନସ୍ଥ ଧୋରଡିଆମ୍ବ ଗ୍ରାମ ମୁଣ୍ଡୁରଳରୀ ସାହି ନିକଟସ୍ଥ ଜଙ୍ଗଲରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ମୂଲ୍ୟବାନ ଶାଳ କାଠ ଜବତ କରାଯାଇଛି ।
ତେବେ ବୁଧବାର ଦିନ ଉକ୍ତ ଜଙ୍ଗଲରୁ ମୂଲ୍ୟବାନ ଶାଳକାଠ କଟାଯାଇ ଅନ୍ୟତ୍ର ଚୋରା ଚାଲାଣ କରାଯିବାର କୌଣସି ସୂତ୍ରରୁ ଡିଏଫଓ ଖବର ପାଇଥିଲେ । ଖବର ପାଇବା ପରେ କାଠ ସହ ମାଫିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବୁଧବାର ଠାରୁ ଉଦ୍ୟମ ଜାରି ରହିଥିଲା । ହେଲେ କାଠ ମାଫିଆ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଉକ୍ତ କାଠକୁ ଗୁରୁବାର ଦିନ ଜବତ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ