କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା। ଅନୁସୂଚିତ ଜାତିବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପୋଷ୍ଟ ମାଟ୍ରିକ ସ୍କଲାରସିପ ୫ଗୁଣା ବୃଦ୍ଧି ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି।
ଆଜି(ରବିବାର) ଅପରାହ୍ନରେ କେନ୍ଦ୍ରାପଡା ଦୁହୁରିଆସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ମୋର୍ଚ୍ଚା ସଭାପତି ବିଭୁପ୍ରସାଦ ତରାଇ ଉଦବୋଧନ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ, ଗତ ଡିସେମ୍ବର ୨୩ତାରିଖରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଘୋଷଣା କରିଛନ୍ତି, ସେଥିପାଇଁ ଦେଶର ୧୭% ଓ ରାଜ୍ୟର ୧୮% ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି।
ଏହାସହ ୫୯,୦୪୮ କୋଟି ଟଙ୍କା ପୁଞ୍ଜି ବିନିଯୋଗ ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି, ଯେଉଁଥିରେ କି ୬୦% ଅର୍ଥାତ ୩୫,୫୩୪ କୋଟି କେନ୍ଦ୍ର ସରକାର ବହନ କରିବେ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଅବଶିଷ୍ଟ ୪୦% ଅର୍ଥ ଖର୍ଚ୍ଚ କରିବେ ଓ ଏହା 'ପ୍ରତିବଦ୍ଧ ଦାୟିତ୍ବ' ସିଷ୍ଟମକୁ ବଦଳାଇବା ଦିଗରେ ସହାୟକ ହେବ ବୋଲି ଆଶାପ୍ରକଟ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ