କେନ୍ଦ୍ରାପଡ଼ା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ମାନବୃଦ୍ଧି ନେଇ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର ଭିନ୍ନ । ସ୍କୁଲରେ ପାଠପଢା ବଦଳରେ କାମ କରୁଛନ୍ତି ଛାତ୍ରଛାତ୍ରୀ । ତାହା ପୁଣି ପ୍ରଧାନଶିକ୍ଷୟତ୍ରୀ ନିଜେ ପିଲାଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି । ଏଭଳି କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଆଗପଡା ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ବାରିକ ଛାତ୍ରଛାତ୍ରୀମାନଙ୍କୁ କାମ କରାଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲ ପରିସରରେ ଝାଡୁ ମାରିବା,ବାସନ ମାଜିବା,ସ୍କୁଲ ଘର ପୋଛିବା,ଅଇଁଠା ପତ୍ର ଗୋଟାଇବା,ବିଦ୍ୟାଳୟ ପାଚେରୀରେ ପାଣି ଦେବା ଆଦି କାର୍ଯ୍ୟ କରାଉଥିବା କୁହାଯାଉଛି । ଏପରିକି କାମ ନକଲେ ଶାରୀରିକ ଦଣ୍ଡ ମିଳୁଥିବା ନେଇ ରାଜକନିକା ବିଇଓଙ୍କ ନିକଟରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।
ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ରାଜକନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ସ୍କୁଲ କମିଟିର ଉପ ସଭାପତି ଦାବି କରିଛନ୍ତି। ଅନ୍ୟ ପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ । ଲୋପାମୁଦ୍ରା ବାରିକ କହିଛନ୍ତି " ଯେଉଁଭଳି ଭାବରେ ଭିଡ଼ିଓଟି ଭାଇରାଲ ହେଉଛି, ସେଥିରେ କୌଣସି ସତ୍ୟତା ନାହିଁ । ଖେଳ ସମୟରେ ପିଲାମାନେ ସ୍କୁଲ ପରିସରକୁ ସ୍ବଚ୍ଛ ରଖିବାକୁ ପ୍ରୟାସ କରିଥାନ୍ତି । ସ୍ବଚ୍ଛ ପରିବେଶ ପ୍ରତି ଛାତ୍ରଛାତ୍ରୀ ସଚେତନ ରହିଛନ୍ତି । ତେଣୁ ସ୍କୁଲ ପରିସରରେ କୌଣସି ଅଳିଆ ଦେଖାଗଲେ ତାହାକୁ ଆମେ ମିଶି ସଫା କରିଥାଉ ।" ଅନ୍ୟପଟେ ଘଟଣାର ସତ୍ୟତା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜକନିକା ବିଇଓ କହିଛନ୍ତି।
ଇଟିଭି ଭାରତ, କେନ୍ଦ୍ରାପଡ଼ା