କେନ୍ଦ୍ରାପଡା: ପୁଣିଥରେ ବଡ ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀବାହୀ ଡଙ୍ଗା । ପାରାଦ୍ବୀପ ବାଲିପ୍ଲଟରୁ ବତୀଘର ପଞ୍ଚାୟତ ଉତ୍ତର ବରକୋଳି ଖୋଳା ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଯାତ୍ରୀବାହୀ ଯନ୍ତ୍ରଚାଳିତ ଡଙ୍ଗା ମହାନଦୀ ମୁହାଣରେ ଅଚଳ ହୋଇ ପଡିବାରୁ ବିପଦରେ ପଡିଥିଲା ଅମୂଲ୍ୟ ଜୀବନ ।
ତେବେ ସୂଚନା ଅନୁଯାୟୀ, ଏହି ସମୟରେ ବୋଟ ଆମ୍ବୁଲାନ୍ସ କର୍ମଚାରୀମାନେ ଦେବଦୂତ ସାଜି ଅଟକି ରହିଥିବା ଡଙ୍ଗାକୁ ଦେଖିଥିଲେ। ଏନେଇ ଆମ୍ବୁଲାନ୍ସ ମାଧ୍ୟମରେ ୧୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଯନ୍ତ୍ରଚାଳିତ ଡଙ୍ଗାକୁ କୂଳକୁ ଆଣିବାରେ ସକ୍ଷମ ହୋଇଛନ୍ତି । ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ଉତ୍ତର ବରକୋଳି ଖୋଳା ଫେରିଘାଟରୁ ପ୍ରତ୍ୟେକ ଦିନ ତିନିଥର ଯାତ୍ରୀମାନଙ୍କୁ ନେଇ ପାରାଦ୍ବୀପ ଯାଇଥାଏ ଏବଂ ଫେରିଥାଏ । ଆଜି ଅପରାହ୍ନ 2ଟା ସମୟରେ ପାରାଦ୍ବୀପ ବାଲିପ୍ଲଟରୁ ଯନ୍ତ୍ରଚାଳିତ ଡଙ୍ଗାଟି ୧୫ ଜଣ ଯାତ୍ରୀଙ୍କୁ ନେଇ ବତୀଘର ଫେରୁଥିବା ସମୟରେ ଡଙ୍ଗାଟିର ଇଞ୍ଜିନ ହଠାତ ଖରାପ ହୋଇଯାଇଥିଲା । ଫଳରେ ଏହି ଡଙ୍ଗାଟି ସେଠାରେ ଲଙ୍ଗର ପକାଇ ଅଟକି ରହିଥିଲା ।
ଏନେଇ ବତୀଘର ପଞ୍ଚାୟତରେ ରୋଗୀମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବୋଟ ଆମ୍ବୁଲାନ୍ସ ରୋଗୀ ନେଇ ପାରାଦ୍ବୀପ ଯାଇଥିଲା ଓ ଫେରିବା ସମୟରେ ଅଟକି ରହିଥିବା ଡଙ୍ଗାଟିକୁ ଦେଖିଥିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ବୋଟ ଆମ୍ବୁଲାନ୍ସରେ କୁଳରେ ପହଞ୍ଚିଛନ୍ତି। ଖରାପ ହୋଇଥିବା ଡଙ୍ଗାଟିକୁ ବୋଟ ଆମ୍ବୁଲାନ୍ସରେ ବାନ୍ଧି କୂଳକୁ ଆଣିଛନ୍ତି। ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି କାର୍ଯ୍ୟ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା