କେନ୍ଦ୍ରାପଡା: ପୋଲିସ ନାଁ ଶୁଣିଲେ ସମସ୍ତଙ୍କ ମନରେ ଡର ସୃଷ୍ଟି ହୁଏ । ମାତ୍ର ଏହି ଖାକି ବର୍ଦ୍ଦି ତଳେ ମଧ୍ୟ ଜଣେ ଦରଦି ହୃଦୟ ଅଛି, ଯାହାର ପ୍ରମାଣ ଦେଇଛି କେନ୍ଦ୍ରାପଡ଼ା ପୋଲିସ ବିଭାଗ। ଲକଡାଉନ ସମୟରେ ଦଳିତବସ୍ତିକୁ ଯାଇ ଲୋକଙ୍କୁ ମାସ୍କ ସହ ଶୁଖିଲା ଖାଦ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଛି ।
କେବଳ ଆଇନ ଶୃଙ୍ଖଳା ପରିସ୍ଥିତିରେ କଠୋର ନୁହେଁ। ଲକଡାଉନ ଯୋଗୁଁ ଦଳିତବସ୍ତିର ଲୋକମାନେ କାମ ନପାଇ ଭୋକ ଉପାସରେ ଦିନ ବିତାଉଥିବା ଜାଣି ଆଜି(ଶନିବାର) କେନ୍ଦ୍ରାପଡ଼ା ଏସପି ନୀତିଶେଖରଙ୍କ ତତ୍ତ୍ବାବଧାନରେ ପୋଲିସ କର୍ମଚାରୀ ଜିଲ୍ଲାର ଶ୍ୟାମଗୁଡ଼ିଆ ଓ ନସଡ଼ିପୁର ଅଞ୍ଚଳରେ ଥିବା ଦଳିତ ବସ୍ତିରେ ପହଞ୍ଚି ସେମାନଙ୍କୁ ଚୁଡା,ବିସ୍କୁଟ ଓ ଶୁଖିଲା ଖାଦ୍ୟ ସମେତ ମାସ୍କ ବଣ୍ଟନ କରିଛନ୍ତି।
ଏସପିଙ୍କ ସମେତ ଏହି ମହତ କାର୍ଯ୍ୟରେ ଆଡିସନାଲ ଏସପି, ଏସଡିପିଓ, ଟାଉନ ଥାନା ଅଧିକାରୀଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇ ଲୋକମାନଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଘରେ ରହି କୋଭିଡ଼-19ର ମୁକାବିଲା କରିବାକୁ କହିଛନ୍ତି ।
ଏହାସହ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସରକାରଙ୍କ ଲକଡାଉନ ନିର୍ଦ୍ଦେଶକୁ ମାନିବା ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଲୋକମାନଙ୍କୁ ସଚେତନ କରାଇବା ସହ ହାତ ଧୋଇବା ଉପରେ ଗୁରୁତ୍ବ ଦେଇଛନ୍ତି ଏସପି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ