କେନ୍ଦ୍ରାପଡା: ସୀମା ଲଙ୍ଘିଲା ବର୍ବରତା, ହଜିଗଲା ମାନବିକତା । ମୋବାଇଲ ଚୋର ସନ୍ଦେହରେ ନାବାଳକକୁ ଦୀର୍ଘ ୩ ଘଣ୍ଟା ବାନ୍ଧି ନିସ୍ତୁକ ମାଡ ମାରିଥିବା ଖବର ସାମ୍ନାକୁ ଆସିଛି ।କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧିନ ଗରଦପୁର ହାଟ ଚାଲୁଥିବା ସମୟରେ ଏକକାଳୀନ ୫ ଜଣ ବେପାରୀଙ୍କର ମୋବାଇଲ ଚୋରି ହୋଇଥିଲା । ହାଟରେ ବୁଲୁଥିବା ଜଣେ ନାବାଳକକୁ ମୋବାଇଲ ଚୋରି କରିଥିବାର ସନ୍ଦେହ କରି ତା'ର ଦୁଇ ହାତକୁ ପଛପଟେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।
ନାବାଳକଟି ନିସ୍ତୁକ ମାଡଖାଇ ବେହୋସ ହୋଇ ପଡିବାରୁ ପାଣି ଦେବାପରେ ପୁଣି ନିସ୍ତୁକ ମାଡମାରି ପାଟକୁରା ଥାନାକୁ ନେଇଥିବା ଜଣାପଡିଛି । ତେବେ ନାବାଳକଟି ମୋବାଇଲ ଚୋରି କରିନାହିଁ ବୋଲି କହୁଥିଲେ ମଧ୍ଯ ତାକୁ ବିଧା, ଚାପୁଡା, ଗୋଇଠା ମାରି ଚାଲିଥିଲେ ୫୦ରୁ ଅଧିକ ଲୋକେ । ଏହି ସମୟରେ କିଛି ଲୋକେ ଦେଖଣାହାରୀ ସାଜିଥିବାବେଳେ କିଛି ଲୋକେ ନାବାଳକକୁ ଉଦ୍ଧାର କରିବା ତ ଦୂରର କଥା ମୋବାଇଲରେ ଫଟୋ ଓ ଭିଡିଓ ଉତ୍ତୋଳନ କରିବାରେ ବ୍ୟସ୍ତ ରହିଥିଲେ । ତେବେ ଏପରି ଏକ ଘଟଣାକୁ ବୁଦ୍ଧିଜୀବୀ ମହଲରେ କଡା ସମାଲୋଚନା କରାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ