କେନ୍ଦ୍ରାପଡା: କଥାରେ ଅଛି ଉଦ୍ୟମ ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ଦୁନିଆର କୌଣସି କାମ ବି ଅସମ୍ଭବ ନୁହେଁ । ବୟସ ଯେତେ ବି ହେଉନା କାହିଁକି ଯଦି ମନରେ କିଛି କରିବାର ଇଚ୍ଛା ଅଛି ତେବେ ସଫଳତା ନିଶ୍ଚୟ। କିଛି ନୂଆ କରି ଦେଖାଇବାର ନିଶା ଏବେ ବୃଦ୍ଧାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ଯେଉଁ ବୟସରେ ବୋହୂ ପରସା ଖାଇବା କଥା ସେହି ବୟସରେ ନିଜ ହାତ ପରସା ଖାଦ୍ୟ ସମସ୍ତଙ୍କୁ ଖୁଆଉଛନ୍ତି କେନ୍ଦ୍ରାପଡା ସହରର କଜଳା ଗାଁର ପ୍ରେମଲତା ସ୍ୱାଇଁ। ବୟସର ଅପରାହ୍ନ ଓ ରୋଗ ବ୍ୟାଧିରେ ପୀଡିତ ହୋଇ ମଧ୍ୟ ଥକି ପଡିନାହାନ୍ତି ସେ।
ପିଠାର ସ୍ୱାଦ ନେଉଥିବା ସମସ୍ତ ଗ୍ରାହକଙ୍କ ପାଖରେ ସେ ମା'ର ଆଖ୍ୟା ପାଇଛନ୍ତି। ମା ହାତପିଠା ନାମରେ ସେ ଏବେ ବିଭିନ୍ନ ପ୍ରକାରର ସୁସ୍ବାଦୁ ପିଠା ଯେପରିକି ମଣ୍ଡା, କାକରା, ଚକୁଳି, ବିରି ପିଠା ଓ ଆଳୁ ପିଠା ତିଆରି କରି ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି । ନିଜ ଘରେ ବିରି ଚାଉଳ ଆଣ ବଟାଯାଇ ତିଆରି କରୁଛନ୍ତି ସୁସ୍ୱାଦୁ ଚକୁଳି ଆଉ ତା ସହ ରହିଛି ଆଳୁଦମ। ସେହିପରି ଆଣ ଯନ୍ତାଯାଇ ସେଥିରୁ ପ୍ରସ୍ତୁତ ହେଉଛି ମଣ୍ଡା ଓ କାକରା । ଏହି ପିଠାରେ ଭଳିକି ଭଳି ଛେନା, ନଡିଆ ପୁର ମଧ୍ୟ ଦେଉଛନ୍ତି। ପ୍ରତିଦିନ ଏପରି ଭାବେ ପିଠା କରି ବିକ୍ରି କରୁଛନ୍ତି ପ୍ରେମଲତା। ଏଥିପାଇଁ ପ୍ରେମଲତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ବୋହୂ,ଝିଅ ଏବଂ ପଡୋଶୀ। ମା ହାତପିଠାର ସ୍ୱାଦ ନେବା ପାଇଁ ସହଯୋଗ କରୁଛି ଅଗ୍ରଣୀ ଅନଲାଇନ ଫୁଡ଼ ବ୍ୟବସାୟୀ ଜୋମାଟୋ।
ପ୍ରେମଲତାଙ୍କ ବୟସ ପାଖାପାଖି ୭୦ ଛୁଇଁଥିବା ବେଳେ ସେ ଥରେ ହୃଦଘାତର ଶିକାର ହୋଇ ସାରିଛନ୍ତି। ତେବେ ଘରଠୁ ଦୂରରେ ରହି ଓଡ଼ିଆ ପରମ୍ପରାର ପିଠାପଣାର ମଜ୍ଜା ପାଉନଥିବା ପରିବାର ଓ ପିଠାପଣାକୁ ଭୁଲି ଯାଇ ଫାଷ୍ଟଫୁଡ଼ ପ୍ରତି ଆକର୍ଷିତ ହେଉଥିବା ଯୁବପିଢିଙ୍କ ପାଇଁ ମା ହାତପିଠା ଏବେ ବେଶ ଆଦର ଲାଭ କରୁଛି। ବିଭିନ୍ନ ମେଳା ମହୋତ୍ସବରେ ପିଠା ଷ୍ଟଲ କରି ଆଦର ସାଉଣ୍ଟି ଥିବା ପ୍ରେମଲତା ଏବେ ଘରେ ବସି ଲୋକମାନଙ୍କ ପିଠାର ଅର୍ଡର ପାଉଛନ୍ତି। ଉଭୟ ଅଫଲାଇନ ଓ ଅନଲାଇନ ଯୋଗେ ଏହି ପିଠା ବିକ୍ରି ହେଉଥିବା ବେଳେ ଏହାର ସ୍ୱାଦ ମଧ୍ୟ ମା ହାତଭଳି । ତେଣୁ ସହରର ୨୧ଟି ୱାର୍ଡ ସମେତ ବିଭିନ୍ନ ଗାଁରୁ ମଧ୍ୟ ଅର୍ଡର ଆସୁଥିବା କୁହନ୍ତି ସହଯୋଗୀ। ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ମିଳୁଥିଲେ ହେଁ ଏହାକୁ ଜିଲ୍ଲା ବାହାରେ ମଧ୍ୟ ମାର୍କେଟିଂ ପାଇଁ ଲକ୍ଷ୍ୟ ରଖିଛନ୍ତି ସମସ୍ତେ।
ନିଜ ହାତ ତିଆରି ପିଠାକୁ ଯେ ନେଇ କେବେ ଏତେ ଆଗକୁ ଯିବେ ବୋଲି ଭାବିନଥିଲେ ପ୍ରେମଲତା । ପିଠା ବିକ୍ରି କରି ଆଜିର ଦିନରେ ମା' ପରିଚୟ ପାଇଥିବା ବେଳେ ତାଙ୍କର ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ।
ଇଟିଭି ଭାରତ, କେନ୍ଦ୍ରାପଡା