କେନ୍ଦ୍ରାପଡା: ‘ଫନି’ ଓଡ଼ିଶାକୁ ଦେଖାଇଦେଇଛି ପ୍ରକୃତିର ଏକ ଭୟଙ୍କର ତାଣ୍ଡବଲୀଳା । 'ଫନି' ଯିବାର ସାତଦିନ ବିତିଗଲାଣି । ହେଲେ ଶିରି ହଜେଇ ଦେଇ ଯାଇଛି ଶ୍ରୀକ୍ଷେତ୍ରର । ପାଣି, ଖାଦ୍ୟ,ବିଜୁଳି ବିନା ହା ହୁତାଶନରେ କଟୁଛି ପ୍ରଭାବିତଙ୍କ ଦିନ । ଏହା ଭିତରେ ପ୍ରପୀଡିତଙ୍କୁ ସହାୟତା ପାଇଁ ହାତ ଲମ୍ବାଇଛି କେନ୍ଦ୍ରାପଡା ପୋଲିସ । ୨୪ ଘଣ୍ଟା ଚୋର , ଡ଼କାୟତ , ଗଣ୍ଡଗୋଳକାରୀଙ୍କ ଭିତରେ ସମୟ ଅତିବାହିତ କରୁଥିବା ଖାକି ବର୍ଦ୍ଦିଧାରୀ ଦେଖାଛନ୍ତି ବିବେକାନୁମୋଦିତ ମଣିଷପଣିଆ । ପୁରୀ ଜିଲାର ଜନସାଧାରଣଙ୍କ ପାଇଁ କେନ୍ଦ୍ରାପଡା ପୋଲିସ ପଠାଇଛି ରିଲିଫ୍ ସାମଗ୍ରୀ ।
ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡ଼ା ଏସ୍ପି୍ ନୀତିଶେଖରଙ୍କ ନେତୃତ୍ବରେ ଏକ ପୋଲିସ ଦଳ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚି କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଦ୍ୱାରା ଦିଆଯାଇଥିବା ସହାୟତାକୁ ବଣ୍ଟନ କରିଛନ୍ତି। ଏହି ସହାୟତା ଦଳରେ ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ, ଡ଼ିଏସପି କାର୍ତ୍ତିକ ମଲ୍ଲିକଙ୍କ ସମେତ ଆଇଆଇସି ରାଜକନିକା,ପଟ୍ଟାମୁଣ୍ଡାଇ,ରାଜନଗର ସମେତ ବହୁ ପୋଲିସ ଅଧିକାରୀ ଲୋକଙ୍କ ପାଖକୁ ଯାଇ ସହାୟତା କରିଛନ୍ତି।
ଜିଲ୍ଲା ପୋଲିସ ପକ୍ଷରୁ ଚାଉଳ,ଡାଲି, ପନିପରିବା, ତେଲ ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ବଣ୍ଟନ କରାଯାଇଛି । ଜିଲ୍ଲା ପୋଲିସର ଏତାଦୃଶ କାର୍ଯ୍ୟକଳାପରେ ଜିଲ୍ଲାବାସୀ ପୋଲିସକୁ ବାହାବା ଦେଇଛନ୍ତି । ସଭିଙ୍କ ମୁହଁରେ ଗୋଟିଏ କଥା ଉଠୁଛି "ସଲାମ ପୋଲିସ"।
ଗତକାଲି ପାରଳାଖେମୁଣ୍ଡି ବଜାରରେ ଗଜପତି ଏସ୍ପି ସାରା ଶର୍ମା ହାତରେ ଥାଳି ଧରି ଦୋକାନରୁ ଦୋକାନ ବୁଲି ସେ ସହାୟତା ମାଗୁଥିଲେ । ବାତ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ସେ ଏହି କାର୍ଯ୍ୟରେ ବାହାରି ପଡିଥିଲେ ।
ଏଠାରେ ସୂଚନାଯୋଗ୍ୟ ଗତ ମହାବାତ୍ୟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ତାଳଚୁଆ ମେରାଇନ ପୋଲିସ ଅଧିକାରୀଙ୍କ ସହ ମେରାଇନ ଥାନାର ମହିଳା କନଷ୍ଟେବଳ ପ୍ରୀତି ପରିଡା ଲୋକଙ୍କୁ ସ୍ଥାନାନ୍ତର କରିବାରେ ସହଯୋଗ କରି ଆଇଜି ଅରୁଣ ବୋଥ୍ରା ଓ କେନ୍ଦ୍ରାପଡ଼ା ଲୋକଙ୍କର ପ୍ରଶଂସାର ପାତ୍ର ହୋଇଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ