କେନ୍ଦ୍ରାପଡା: ଜିଲ୍ଲାର ଜଟିଆ ନନା ଓରଫ ପ୍ରମୋଦ ନାୟକ । ମୁଣ୍ଡରେ କେରାଏ ଜଟ । ହେଲେ ସେହି ଜଟରେ ଟାଣି ନେଉଛନ୍ତି କାର୍, ବୋଲେରୋ, ଟ୍ରାକ୍ଟର । ପୁଣି କେତେବେଳେ ବାଇକରେ ବସିଥିବା ତିନି ଜଣ ଆରୋହୀଙ୍କୁ ଗଡାଇ ନେଉଛନ୍ତି ଜଟରେ । ରେକର୍ଡ ବନାଇବା ନିଶାରେ ବିନା ପ୍ରଶିକ୍ଷଣରେ ଏଭଳି ଦୁଃସାହାସିକ କାର୍ଯ୍ୟକୁ ରୂପ ଦେଉଛନ୍ତି ଜଟିଆ ନନା । ଧୀରେ ଧୀରେ ଅଭ୍ୟାସ ବଳରେ ଏହାକୁ ସମ୍ଭବ କରିପାରିଛନ୍ତି ବୋଲି କହିଛନ୍ତି ପ୍ରମୋଦ ।
କେନ୍ଦ୍ରାପଡା ରାଜକନିକା ବ୍ଲକ ଗୁଆଳି ଗାଁରେ ପ୍ରମୋଦ ନାୟକଙ୍କ ଘର । ପିଲାଟି ବେଳୁ ସେ ହାସ୍ୟ କଳାକାର ଭାବେ ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମ କରିଆସୁଛନ୍ତି । ଦିନେ ଜଟିଆ ନନା ଏକ କାର୍ଯ୍ୟକ୍ରମରେ ହାସ୍ୟାତ୍ମକ ଗୀତରେ ନୃତ୍ୟ ପରିବେଷଣ କରୁଥିବାବେଳେ ଅନ୍ୟ ଜଣେ ସାଥୀ କଳାକାର ତାଙ୍କ ଜଟରେ ଝୁଲି ପଡିଥିଲେ । ଯଦି ଜଣେ ମଣିଷ ଜଟରେ ଝୁଲି ପାରୁଛି, ତେବେ ଗାଡିମଟର କାହିଁକି ଟାଣି ହୋଇପାରିବ ନାହିଁ ବୋଲି ପ୍ରମୋଦଙ୍କ ମନକୁ ଆସିଥିଲା । ସେବେଠୁ ନିଜ ଜଟରେ ମୋଟର ସାଇକେଲ ଟାଣିବାକୁ ସ୍ଥିର କରିଥିଲେ ନନା । ପରେ ବାଇକ ସାଙ୍ଗକୁ, କାର ଏବଂ ଟ୍ରାକ୍ଟର ଟାଣିବାରେ ମଧ୍ୟ ସଫଳ ହୋଇଥିଲେ । ଏବେ ଲକ୍ଷ୍ୟ ରହିଛି ଆଗକୁ ବସ୍, ଟ୍ରକ ଟାଣିବା ପାଇଁ ଅଭ୍ୟାସ ଜାରି ରଖିବେ ଏବଂ ଗିନିଜ ବୁକରେ ସ୍ଥାନ ପାଇବେ ।
ତେବେ କେବଳ ଜଟରେ ଭାରୀଯାନ ଟାଣିବା ନୁହେଁ, ଆହୁରି ଅନେକ ପ୍ରକାର ପ୍ରତିଭାର ଅଧିକାରୀ ହେଉଛନ୍ତି ପ୍ରମୋଦ । ଓଡିଆ ସିନେମା ଜଗତର ହାସ୍ୟ କଳାକାର ଜୟୀରାମ ସାମଲ ହୁଅନ୍ତୁ ଅବା ଗାୟକ ଶିରୋମଣି ନିମାଇଁ ହରିଚନ୍ଦନ, ସମସ୍ତଙ୍କ ଅତି ଚମତ୍କାର ଭାବେ ମିମିକ୍ରି କରୁଛନ୍ତି ଜଟିଆ ନନା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନୂଆ ଧାମରାଠାରେ ପ୍ରମୋଦ ଓ ଓରଫ ଜଟିଆ ନନାଙ୍କ ଏକ ଫାଷ୍ଟଫୁଡ ଦୋକାନ ରହିଛି । ଯାହାର ନାମ ଜଟିଆ ନନା ମାଇଣ୍ଡଫ୍ରେସ ଖାଚାପା । ଦୋକାନରେ ବିକ୍ରି କରୁଥିବା ଖାଦ୍ୟ ସାମଗ୍ରୀର ଭଳିକି ଭଳି ନିଆରା ନାଁ ଦେଇଛନ୍ତି ସେ । ଯେପରିକି ମମତାମୟୀ ଚପ୍, ସ୍ନେହମୟୀ ପିଆଜି, ଝିଲମିଲ୍ ପକୁଡି, ଏମିତି କେମିତି ହେଲା ମନଚୁରିଆନ, ସ୍ପେଶାଲ ବର୍ଷା ଚାଓମିନ ଓ ଅନୁଭବ ରୋଲ୍ ଇତ୍ୟାଦି । ନନାଙ୍କ ଏଭଳି ମଜାଳିଆ ଅନ୍ଦାଜ ପାଇଁ ଆଖପାଖର ଲୋକେ ତାଙ୍କ ଦୋକନାରେ ଭିଡ ଜମାନ୍ତି ।
ବିନା ପ୍ରଶିକ୍ଷଣରେ ଜଟରେ କାର୍, ଟ୍ରାକ୍ଟର ଟାଣୁଥିବା ଜଟିଆ ନନା ପ୍ରଶିକ୍ଷଣ ପାଇଲେ ଆହୁରି ବଡ ବଡ ଦୁଃସାହାସିକ କାର୍ଯ୍ୟ କରିପାରିବେ ସେଥିରେ ସନ୍ଦେହ ନାହିଁ । ତେଣୁ ବଣମଲ୍ଲୀ ବଣରେ ଫୁଟି ମଉଳି ଯିବା ପୂର୍ବରୁ ଯଦି ସରକାରୀ ପ୍ରୋତ୍ସାହନ ମିଳିପାରନ୍ତା ତାହାହେଲେ ସେ ଆଗକୁ ନୂଆ ନୂଆ ରେକର୍ଡ ବନାଇପାରନ୍ତେ ବୋଲି ଆଶା ରଖିଛନ୍ତି ଲୋକେ । ଏନେଇ ଜିଲ୍ଲାପାଳ ଖୁବଶୀଘ୍ର ତାଙ୍କ ସହ ଯୋଗାଯୋଗ କରି ତାଙ୍କର ଏହି ଲୁକ୍କାୟିତ ପ୍ରତିଭାକୁ ସାରା ଜିଲ୍ଲା, ରାଜ୍ୟ ଓ ଦେଶବାସୀଙ୍କ ପାଖରେ ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ