କେନ୍ଦ୍ରାପଡା: ରାସ୍ତା ଯେତେ କଠନ ହେଉନା କାହିଁକି ଥରେ ମନକୁ ଜିଦ ଆସିଗଲେ ବିଜୟ ରାସ୍ତା ଆପେଆପେ ଦେଖାଯାଏ । ଏହାକୁ ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ୍ ବ୍ଲକ, ବାଲିଆ ଗାଁର ଉଦିୟମାନ ଯୁବକ ଦିଲ୍ଲୀପ ସାହୁ। ଯିଏକି ମୟାନଗରୀ ବଲିଉଡରେ ଲାଇନ ପ୍ରଡ୍ୟୁସର ଭାବେ କାମ କରୁଥିବା ବେଳେ ବର୍ତ୍ତମାନ ସେ ବଲିଉଡ ଓଡ଼ିଆ ଆସୋସିଏସନର ସଭାପତି ଦାୟିତ୍ୱରେ ରହିଛନ୍ତି । ଜୀବନର ଘାତ ପ୍ରତିଘାତକୁ ଏଡାଇ ସେଦିନର ପ୍ରେମିକା ତଥା ବର୍ତ୍ତମାନର ସ୍ତ୍ରୀଙ୍କଠାରୁ କରଜ କରି ନେଇଥିବା ୫୦୦ ଟଙ୍କା ଆଜି ତାଙ୍କୁ ଲକ୍ଷପତି କରିଦେଇଛି । ହେଲେ ସେ ଭୁଲି ନାହାନ୍ତି ନିଜ ମାତୃଭୂମି କିମ୍ବା ନିଜ ଗାଁକୁ । ପ୍ରତିଶ୍ରୁତି ଦେଇଛନ୍ତି ନିଜ ଅଞ୍ଚଳର ମାଆମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀର ସୁଦୁର ମୁମ୍ବାଇରେ ମାର୍କେଟିଂ କରିବେ ।
ପିଲାଟି ବେଳରୁ ଅଭିନୟ ଓ କଳାରେ ରୁଚି ରଖିଥିବା ଦିଲ୍ଲୀପଙ୍କର ପାରିବାରିକ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ବେଳେ ଓଳିଏ ଖାଇଲେ ଆର ଓଳିକୁ ଓପାସ ରହିବାକୁ ପଡ଼ୁଥିଲା । ବାପା ଭରତ ଚନ୍ଦ୍ର ସାହୁ ସେତେବେଳ ସମୟର ଜଣେ ଅପେରା କଳାକାର ହୋଇଥିବା ବେଳେ ଘରକୁ ଟଙ୍କା ପଇସା ଦେବାରେ ତାଙ୍କର ସାମର୍ଥ୍ୟ ନଥିଲା । ହେଲେ ପୁଅର ଅଭିଳାଷକୁ ପୁରଣ କରିବା ପାଇଁ ସାହସ ଯୋଗାଇଥିଲେ । ଦିଲ୍ଲୀପ ପ୍ରଥମେ ବାଲିଆ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପରେ ସେ ଡେରାବିଶ୍ ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ ପାସ କରିବା ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀରୁ ସ୍ବର୍ଗତ ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ସଂସ୍ପର୍ଶରେ ଆସି ବମ୍ବେ ଅଭିମୁଖେ ମୁହାଁଇବା ପାଇଁ ପରାମର୍ଶ ପାଇଥିଲେ । ଆଉ ସେତେବେଳେ ଅର୍ଥାତ ୨୫ ବର୍ଷ ତଳେ ଅର୍ଥାଭାବ ଯୋଗୁଁ ପ୍ରେମିକାଙ୍କଠାରୁ ୫୦୦ ଟଙ୍କା ହାତ ଉଦ୍ଧାର କରି ଧାଇଁଥିଲେ ସ୍ବପ୍ନ ନଗରୀ ମୁମ୍ବାଇକୁ। ଆଉ ସେହିଦିନଠାରୁ ପଛକୁ ଫେରି ଚାହିଁ ନାହାନ୍ତି ଦିଲ୍ଲୀପ ।
ଏହା ମଧ୍ୟ ପଢନ୍ତୁ-ଆଜିଠୁ ୧୪ ତାରିଖଯାଏଁ ଭିତରକନିକା ବନ୍ଦ , ୧୧ ଦିନ ଧରି ହେବ କୁମ୍ଭୀର ଗଣନା
ଦିଲ୍ଲୀପଙ୍କ ଏହି ସଫଳତା ପାଇଁ ଜିଲ୍ଲାର ସର୍ବ ପୁରାତନ ଡେରାବିଶ୍ ବଜାର କମିଟି ସଭାପତି ସଞ୍ଜୟ ସାହୁଙ୍କ ନେତୃତ୍ବରେ ଦିଲ୍ଲୀପ ଏବଂ ତାଙ୍କ ପତ୍ନୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାରେ ବିଭିନ୍ନ ସମୟରେ ସାମଗ୍ରୀ ଉତ୍ପାଦନ କରି ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇ ପାରିଥିବା ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି ଦିଲ୍ଲୀପ । ସେହିପରି ଏହି ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ସୁଦୂର ମୁମ୍ବାଇରେ ବଜାରୀକରଣ କରାଇବା ପାଇଁ ଦିଲ୍ଲୀପ ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀପଙ୍କ ଏହି ସଫଳତା ଗୋଟିଏ ଦିନର ନୁହେଁ ବରଂ କଠିନ ଅଧ୍ୟବସାୟର ଫଳ ବୋଲି କୁହନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।
ପ୍ରେମିକାଠାରୁ ୫ଶହ ଟଙ୍କା ନେଇ ମୁମ୍ବାଇ ଯାତ୍ରା କରିଥିବା ଦିଲ୍ଲୀପ ଆଜି ଲକ୍ଷଲକ୍ଷ ଟଙ୍କାର ମାଲିକ । ପ୍ରେମିକାଠାରୁ ନେଇଥିବା ସେହି ୫୦୦ ଟଙ୍କା ଆଜି ଯାଏଁ ସୁଝି ହୋଇନାହିଁ ବୋଲି ଦିଲ୍ଲୀପ କହିଛନ୍ତି । କାରଣ ଜଣେ ନାରୀର ସହଯୋଗରେ ପୁରୁଷ ଆଗକୁ ଯାଇଥାଏ, ଏଥିପାଇଁ ମହିଳାଙ୍କୁ ସଶକ୍ତ କରିବା ପାଇଁ ଆଗେଇ ଆସିଛନ୍ତି ଦିଲ୍ଲୀପ । ଉତ୍ପାଦ ଗୋଷ୍ଠୀର ମହିଳାମାନଙ୍କୁ ଆଗକୁ ବଢିବା ପାଇଁ ସହଯୋଗ କରିବେ ବୋଲି କହିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା