କେନ୍ଦ୍ରାପଡା: ଆକାଉଣ୍ଟ ଗୋଟିଏ କିନ୍ତୁ ହିତାଧିକାରୀ ଦୁଇଜଣ।ବ୍ୟାଙ୍କର ବେପରୁଆ ଓ ଖାମଖିଆଲି ନୀତିପାଇଁ ଦୁଇଜଣ ହିତାଧିକାରୀ ହନ୍ତସନ୍ତ।ଜଣେ ୧୧ଶହ ଟଙ୍କା ଡିପୋଜିଟ ରଖିଥିବା କହୁଥିବା ବେଳେ ଅନ୍ୟଜଣେ ସେହି ଆକାଉଣ୍ଟରେ କରିଛନ୍ତି ଲକ୍ଷlଧିକ ଟଙ୍କାର କାରବାର। ଏମିତି ଅଜବ ଆର୍ଥିକ କାରବାର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ।
ବ୍ୟାଙ୍କରେ ଆକାଉଣ୍ଟ ରହିଛି ଗୋଟିଏ କିନ୍ତୁ ଆର୍ଥିକ କାରବାର କରୁଛନ୍ତି ଦୁଇଜଣ। କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ମହୀପାଳ ଗାଁର ହେମନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନ୍ୟଜଣେ ହେମନ୍ତ କୁମାର ସାହୁ ନାମକ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଜମା କରିବା ଏବଂ ଉଠାଇବା ଓ ପୁନର୍ବାର ନିକିରାଇ ଥାନା କୋରୋ ଗାଁର ହେମନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ୧୧୦୦ ଟଙ୍କା ଉଠାଇନେବା ଘଟଣା ଏବେ ବ୍ୟାଙ୍କର ବିଶ୍ୱାସନୀୟତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି। କେନ୍ଦ୍ରାପଡ଼ା କଲେଜ ଛକ ସାନ୍ଧ୍ୟ(Evening)ବ୍ରାଞ୍ଚର SBI ଆକାଉଣ୍ଟ ନମ୍ବର 30360119626 ରହିଛି ହେମନ୍ତଙ୍କ ନାମରେ।ଦୀର୍ଘ ଦିନ ଧରି ହେମନ୍ତ ଏହି ଆକାଉଣ୍ଟରେ ବିଶେଷ ଟଙ୍କା କାରବାର କରିନଥିଲେ ।ତେବେ ଶେଷଥର ପାଇଁ ହେମନ୍ତ ଏହି ଆକାଉଣ୍ଟ ରେ ୧୧ଶହ ଟଙ୍କା ଜମା ରଖିଥିଲେ।କିନ୍ତୁ ଗତ କିଛି ମାସ ମଧ୍ୟରେ ଏହି ଆକାଉଣ୍ଟରୁ ଏକ ଲକ୍ଷ ୬୦ ହଜାର ଟଙ୍କାରୁ ଅଧିକ ଆର୍ଥିକ କାରବାର ହୋଇଛି।ନିକଟରେ ଏକ ମିନିଷ୍ଟେଟମେଣ୍ଟ ବାହାର କରିବା ପରେ ହେମନ୍ତ ଏହି ଘଟଣା ଜାଣି ପାରିଥିଲେ।ଘଟଣା ଜାଣିବା ପରେ ଭୟଭୀତ ହୋଇ ବ୍ୟାଙ୍କର ଦ୍ୱାରସ୍ଥ ହୋଇଥିଲେ।ଏନେଇ ମହିପାଳର ହେମନ୍ତ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ନିରାଶ ହେବାପରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅନୁରୂପ ଭାବରେ ନିକିରାଇ ଥାନା ଅନ୍ତର୍ଗତ କୋରୋ ଗାଁର ହେମନ୍ତ ସାହୁ ନିଜ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସମାନ ନମ୍ବରର ଆକାଉଣ୍ଟ ରହିଥିବାର ଦସ୍ତାବିଜ ଦେଖାଇବା ସହ ଚେକବୁକ,ଏଟିଏମ ଆଦି ଥିବା ନେଇ ସ୍ପଷ୍ଟ କରି ତାଙ୍କ ଆକାଉଣ୍ଟରୁ ତାଙ୍କ ଅଗୋଚରରେ କେହି ୧୧ଶହ ଟଙ୍କା ଉଠାଇନେଇଥିବା ଉଭୟ ନିକିରାଇ ଓ ସଦର ଥାନାରେ ଅଭିଯୋଗ କରିଛନ୍ତି ।
କୋରୋ ଗାଁର ହେମନ୍ତ ମାସକ ମଧ୍ୟରେ ପ୍ରାୟ ଏକାଧିକ ଥର ଟଙ୍କା ଜମା କରିଛନ୍ତି ଏବଂ ଉଠାଇଛନ୍ତି।ଉଭୟ ଅଭିଯୋଗକାରୀ ପରସ୍ପର ମଧ୍ୟରେ ଦୋଷାରୋପ କରୁଥିବା ବେଳେ ଏକ ସରକାରୀ ବ୍ୟାଙ୍କ ପକ୍ଷରୁ ଏଭଳି ଭୁଲ ହେଲା କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।ନିକିରାଇ ଥାନା ଅନ୍ତଗତ କୋରୋ ଗ୍ରାମର ଶଙ୍କର୍ଷଣ ସାହୁଙ୍କ ପୁଅ ହେଉଛନ୍ତି ହେମନ୍ତ।ଉଭୟଙ୍କ ନାମ ସମାନ ଥିବା ବେଳେ ଠିକଣା କିନ୍ତୁ ଭିନ୍ନଭିନ୍ନ ରହିଛି।ତେବେ ଦୁଇଜଣ ହିତାଧିକାରୀ କିଭଳି ଗୋଟିଏ ଆକାଉଣ୍ଟ ତାହାପୁଣି ଏକ ସରକାରୀ ବ୍ୟାଙ୍କରେ ଆର୍ଥିକ କାରବାର କରି ପାରିଲେ ସେ ନେଇ ନାନା ପ୍ରଶ୍ନ ମୁଣ୍ଡ ଟେକୁଛି।ମହୀପାଳ ଗାଁର ହେମନ୍ତ ତାଙ୍କ ଆକାଉଣ୍ଟରେ ବେଆଇନ ଭାବେ କାରବାର ଚଳାଇଥିବା ନେଇ କୋରୋ ଗାଁର ହେମନ୍ତ ଅଭିଯୋଗ କରିଛନ୍ତି।ଏହି ବେଆଇନ ଆର୍ଥିକ କାରବାର ଅନଲାଇନ ମାଧ୍ୟମରେ କରାଯାଇଥିବାରୁ ଏହା ସାଇବର ଅପରାଧ ଶ୍ରେଣୀଭୁକ୍ତ ବୋଲି ଅlଇନ ଵିଶେଷଜ୍ଞ ମାନଙ୍କ ମତ ଦେଇଛନ୍ତି ।
ତେବେ ଏହା କିପରି ହେଲା ତାହା ଜାଣିବା ପାଇଁ SBI ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା ବେଳେ SBI କର୍ତ୍ତୃପକ୍ଷ ଏହି ଘଟଣାରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି।ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ସଂପୃକ୍ତ ବ୍ୟାଙ୍କର ଶାଖା ପରିଚାଳକ ନୀରବ ରହିବା ମଧ୍ୟ ଏହିଭଳି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରତିବର୍ଷ ବ୍ୟାଙ୍କ ପକ୍ଷରୁ KYC ଅପଡେଟ କରାଯାଉଥିବା ବେଳେ ଗୋଟିଏ ଆକାଉଣ୍ଟରେ କିଭଳି ଦୁଇଜଣ ହିତାଧିକାରୀ ରହିଲେ ଓ ଏହି ଘଟଣାରେ ବ୍ୟାଙ୍କ ଅମ୍ବୁଡ୍ସମ୍ୟାନଙ୍କ ସମେତ ଉପରିସ୍ଥ ଅଧିକାରୀ ମାନଙ୍କର କଣ ପଦକ୍ଷେପ ରହିବ ତାହାକୁ ଅପେକ୍ଷା।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ