କେନ୍ଦ୍ରପଡା: ବଢିଲାଣି ତାତି । ଅସହ୍ୟ ଖରାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କ ଦ୍ବାରା ପ୍ରଥମ ସର୍ବତ କେନ୍ଦ୍ର ଉଦଘାଟନ କରାଯାଇଛି । ଜଳଛତ୍ରରେ ଲେମ୍ବୁ ଓ ଦହି ସର୍ବତ ଉପଲବ୍ଧ ହେଉଛି ।
ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ କ୍ଷେତ୍ରରେ ସବଳ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ଏହା ଦ୍ବାରା ମହିଳାମାନେ ଦୁଇ ପଇସା ରୋଜଗାର କରିବା ସହିତ ଖରାରେ ବାଟେଇମାନେ ପିଇବାକୁ ପାଣି ପାଇ ପାରିବେ । ପ୍ରଥମ ପ୍ରର୍ଯ୍ୟାୟରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ପକ୍ଷରୁ ଏକ ଦହି ସର୍ବତ ସେଣ୍ଟର ଜମ୍ବୁ - ମାର୍ଶାଘାଇ କେନାଲ ରାସ୍ତା ତୁଳସୀପୁର ନିକଟରେ ଉଦଘାଟିତ ହୋଇଛି ।
ଏହାକୁ ମାର୍ଶାଘାଇ ବିଡିଓ ଶ୍ରୀଧର ବିଶ୍ବାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ପାନୀୟ କେନ୍ଦ୍ର ହେବା ଫଳରେ ପ୍ରତ୍ୟେକ ଦିନ ରାସ୍ତାରେ ଯିବା ଆସିବା କରୁଥିବା ଶହ ଶହ ଲୋକମାନେ ଉପକୃତ ହେବା ସହିତ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ବିଡିଓ ଶ୍ରୀଧର ବିଶ୍ବାଳ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ