କେନ୍ଦ୍ରାପଡା: ଆଜି ହେଉଛି ଚାଷୀ ଭାଇମାନଙ୍କ ଆନନ୍ଦର ପର୍ବ ପବିତ୍ର ଅକ୍ଷୟ ତୃତୀୟା। ସକାଳୁ ସକାଳୁ ଚାଷୀ ଭାଇ ଉଠି ସ୍ନାନ ଶେଷ କରି ହଳଦୀ, ଚନ୍ଦନ, ସିନ୍ଦୁରବୋଳା ଧାନ ବିହନପୂର୍ଣ୍ଣ ଏକ ନୂଆ ଗଉଣୀକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ବିଲକୁ ବାହାରି ପଡେ।
ଏହାସହ ଅନ୍ୟ ଏକ ନୂଆ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଆସିଥାଏ ନିଜ ବିଲ(ଜମି)ରେ ମା'ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ଭୋଗକୁ କିଆରୀର ଇଶାଣ କୋଣରେ ପୋତି ହଳ ବୁଲାଇଥାଏ ଓ ଗଉଣୀରେ ଆଣିଥିବା ବିହନରୁ ମୁଠାମୁଠା ବିହନ କିଆରୀରେ ବୁଣିଥାଏ। ଏହାକୁ ଅକ୍ଷିମୁଠି କୁହାଯାଏ।
କେନ୍ଦ୍ରାପଡ଼ା ଏକ କୃଷିପ୍ରଧାନ ଜିଲ୍ଲା। ଏଠାକାର ଜନସାଧାରଣ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି। ଆଜି ସକାଳୁ ଜିଲ୍ଲାର ମହାକାଳପଡ଼ା, ମାର୍ଶାଘାଇ, ଡେରାବିଶ୍, ଗରଦପୁର ସମେତ ବିଭିନ୍ନ ସ୍ଥାନରେ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରି ବର୍ଷତମାମ କିପରି ଭଲ ଫସଲ ହେବ ସେନେଇ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ବୈଶାଖ ଶୁକ୍ଳ ତୃତୀୟା ଦିନ ଏହି ଚାଷର ପର୍ବକୁ ପାଳନ କରାଯାଉଥିବାରୁ ଏହାକୁ ଅକ୍ଷୟ ତୃତୀୟା କୁହାଯାଏ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ