କେନ୍ଦ୍ରାପଡା: ଜଳପଥରେ ଆସୁଥିବା କୋଇଲାର ଚୋରା ଚାଲାଣ ପାଇଁ କାମ କରୁଛି ବଡ଼ ନେଟୱର୍କ । ବନ୍ଦରରୁ ମୂଲ୍ୟବାନ କୋଇଲା ଚୋରି କରାଯାଇ ବାହାର ରାଜ୍ୟକୁ ରପ୍ତାନୀ କରାଯାଉଛି । ପ୍ରଥମେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କୋଇଲା ଆଣି ପହଞ୍ଚାଯିବା ପରେ ସେଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଚୋରାରେ ଚାଲାଣ ହେଉଛି । କେନ୍ଦ୍ରାପଡାରେ ଏଭଳି ଏକ ବଡ ଧରଣର କୋଇଲା ଚୋରା ଚାଲାଣ ରାକେଟର ପର୍ଦ୍ଦଫାସ ହୋଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଦୀର୍ଘଦିନ ହେବ "ଅଷ୍ଟ୍ରେଲିଆନ କୋଇଲା" କାରବାର ଚାଲିଥିବାର ପୋଲିସ ଅଭିଯୋଗ ପାଇଥିଲା । ଅଭିଯୋଗ ଭିତ୍ତିରେ କେନ୍ଦ୍ରାପଡା ଜିଲ୍ଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସୋମବାର ବିଳମ୍ବିତ ରାତିରେ ଆଳି ଥାନା ଅଧିନ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରି ଦୁଇଟି ଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରକ ସହିତ ବୋଲେରୋ, ସ୍କୁଟି ଓ ବୁଲେଟ ଜବତ କରିଛନ୍ତି । ଏହି ଘଟଣାରେ ଜଣେ ଡ୍ରାଇଭର ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଏହି କୋଇଲା ଚୋରା ଚାଲାଣରେ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ଲୁଟେରା ସାମିଲ ଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମରା ବନ୍ଦରକୁ ବିଭିନ୍ନ ଜାହାଜରେ ଆସୁଥିବା ଏହି କୋଇଲାକୁ ମାଫିଆମାନେ କୌଶଳରେ ଚୋରି କରିବା ପରେ ଆଳି ଥାନା ଅଧିନ ନିଆଳ ହର୍ଟିକଲଚର କାର୍ଯ୍ୟାଳୟ ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ମହଜୁଦ ରଖୁଥିଲେ । ଏହି ଠାରୁ ରାତାରାତି କୋଇଲାକୁ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନକୁ ଚୋରାରେ ଚାଲାଣ କରି ଆସୁଥିଲେ । ତେବେ ଆଳି ପୋଲିସକୁ ଘଟଣା ସମ୍ପର୍କରେ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ କର୍ମଚାରୀ ଅଭାବ ଆଳ ଦେଖାଇ କାରବାର ପ୍ରତି ଆଖି ବୁଜି ଦେଇଥିଲା । ତେବେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ ହେବା ପରେ ଏହି ରାକେଟକୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ପରେ ସୋମବାର ବିଳମ୍ବିତ ରାତିରେ ଏହି ସ୍ୱତନ୍ତ୍ର ଟିମ୍ ଉକ୍ତ ଅଞ୍ଚଳରେ ଛାପା ମାରି ଚଢ଼ାଉ କରିବା ପରେ ସେଠାରେ ଏହି କାରବାର କରୁଥିବା କୋଇଲା ମାଫିଆମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ ।
ପୋଲିସ ଚଢ଼ାଉ ସ୍ଥାନରୁ ଦୁଇଟି କୋଇଲା ବୋଝେଇ ଟ୍ରକ, ଏକ ବୋଲେରୋ, ସ୍କୁଟି, ବୁଲେଟ ଗାଡି ସମେତ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଟ୍ରକ ଡ୍ରାଇଭରକୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଚାଲିଥିବା ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଚୋରା ଚାଲାଣ ଘଟଣାର ମୁଖ୍ୟ ତଥା ମାଷ୍ଟର ମାଇଣ୍ଡକୁ ପୋଲିସ ଧରିବାରେ ଅସମର୍ଥ ହୋଇଥିବା ବେଳେ ଚଢ଼ାଉ ସମୟରେ ୧୫ ରୁ ୨୦ ଜଣ ଯୁବକ ଚମ୍ପଟ ମାରିଥିବା ସୂଚନା ମିଳିଛି । ପୋଲିସ ଉକ୍ତ ସ୍ଥାନରେ ଚାଲାଣ ପାଇଁ ଗଚ୍ଛିତ ଥିବା କୋଇଲାକୁ ଜବତ କରି ଟ୍ରାକ୍ଟର ଯୋଗେ ଆଳି ଥାନାରେ ଆଣି ରଖିଥିବା ଦେଖାଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା