କେନ୍ଦ୍ରାପଡ଼ା: ଦାଦାବଟି ପାଇଁ ଆତଙ୍କରାଜ । ବ୍ୟବସାୟୀଙ୍କୁ ଆକ୍ରମଣ ପରେ ସହରରେ ଆତଙ୍କ ଖେଳିଯାଇଛି । ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, ଟାଉନ ଥାନା ଅନ୍ତର୍ଗତ ବଡ଼ହାଟଠାରେ ଥିବା ଶୋ' ରୁମ୍ରେ ରାତି ପାଖାପାଖି ସାଢେ ୯ଟା ବେଳେ ପ୍ରବେଶ କରିଥିଲେ ମୁଖା ପିନ୍ଧା ଦୁବୃର୍ତ୍ତ । କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ଦେଖାଇଲେ ଆତଙ୍କରାଜ । ଯାହାର ପ୍ରତିବାଦରେ ଆଜି ସମ୍ପୃକ୍ତ ଅଞ୍ଚଳର ଦୋକାନ ବଜାର ୬ ଘଣ୍ଟିଆ ବନ୍ଦ ରହିଛି । ଦାଦା ବଟିପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ପଛରେ ବାସ୍ତବରେ କେଉଁମାନେ ସମ୍ପୃକ୍ତ ଓ କାରଣ କ'ଣ ସେନେଇ ଖୋଳତାଡ଼ ଆରମ୍ଭ କରିଛି ଟାଉନ ଥାନା ପୋଲିସ ।
ଦାଦାବଟି ପାଇଁ କିଛି ଦୁର୍ବୁତ୍ତ ଜଣେ ବ୍ୟବସାୟୀଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବା ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଫଳରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ହେଲେ ଖାଦିମ ବକ୍ସ । ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଶୋ ରୁମ୍ର ମାଲିକ କ୍ୟାସ୍ କାଉଣ୍ଟରରେ ବସିଥିବା ସମୟରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତମାନେ ପ୍ରବେଶ କରିଥିଲେ । ହାତରେ ବାଡ଼ି ଓ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଧମକ ଚମକ ଦେବା ସହ ଆକ୍ରମଣ କରିଥିଲେ । ଏପରିକି ଅସ୍ତ୍ରଶସ୍ତ୍ର ମାଧ୍ୟମରେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଦୁବୃର୍ତ୍ତମାନେ ଉଦ୍ୟମ କରିଥିଲେ।
ଏହା ମଧ୍ୟ ପଢନ୍ତୁ...ଦାଦାବଟି ଦିଅ ନହେଲେ ମୁଣ୍ଡିଆ ବନ୍ଦ କର; ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଖଣି କର୍ମଚାରୀ
ପୂର୍ବରୁ ମାତ୍ର କେଇ ମିନିଟ ଆଗରୁ ଦୁର୍ବୃତ୍ତମାନେ ହାତରେ ବାଡ଼ି ଧରି ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବାକୁ ଆସିବା ସମୟରେ ଖାଦିମ ବକ୍ସଙ୍କର ପୁଅ ଦୌଡ଼ି ପଳାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏଭଳି ଭାବେ ଦୁର୍ବୁତ୍ତମାନେ କିଛି ସମୟ ପାଇଁ ରାସ୍ତାରେ ଆତଙ୍କ ଖେଳାଇଥିଲେ । ଏହାଦେଖି ଆଖପାଖରେ ଥିବା ଲୋକମାନେ ଛତ୍ର ଭଙ୍ଗ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୃତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଦାଦାବଟି ନଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ଅନ୍ୟପଟେ ପୋଲିସ ଏସମ୍ପର୍କରେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ ଦାଦା ବଟି ନୁହେଁ ବରଂ ପୁର୍ବ ଶତ୍ରୁତାରୁ ଏଭଳି କାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି । ତେବେ ବଜାରରେ ଥିବା ଜଣେ ବ୍ୟବସାୟୀଙ୍କୁ ଉପରେ ଏଭଳି ଆକ୍ରମଣ ଘଟଣା ପ୍ରତିବାଦରେ ଅନ୍ୟ ବ୍ୟବସାୟୀମାନେ ଆଜି ୬ ଘଣ୍ଟିଆ ବଜାର ବନ୍ଦ କରିଥିବା ଦେଖାଯାଇଛି ।
ଇଟିଭି ଭାରତ,କେନ୍ଦ୍ରାପଡ଼ା