କେନ୍ଦ୍ରପଡା: ଭତ୍ତା ବଣ୍ଟନ ମେଳାରେ ବିଧାୟିକାଙ୍କ ପୁଅଙ୍କ ବିରାଟ ଫଟୋ ରଖି ପ୍ରଚାର ବିରୋଧରେ ପାଟକୁରା ଥାନାରେ ଏତଲା ଦେଲା ବିଜେପି । ଲୋକଙ୍କ ଝାଳବୁହା ସରକାରୀ ଟଙ୍କାରେ ବିଧାୟିକାଙ୍କ ପୁଅଙ୍କ ପାଇଁ ପ୍ରଚାର କରିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ତେଜେଶ୍ଵର ପରିଡା । ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା ଅଭିଯୋଗ ଅନୁଯାୟୀ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୌଣସି ସରକାରୀ ପଦପଦବୀରେ ନାହାନ୍ତି । ତେବେ ସରକାରୀ କାର୍ଯ୍ୟକ୍ରମ ବ୍ୟାନରରେ ସଞ୍ଜୟ ଅଗ୍ରୱାଲଙ୍କ ଫଟୋ କାହିଁକି ଲଗାଯାଇଛି ? ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତ ପାଇଁ ମେହେନ୍ଦିନଗର ପଞ୍ଚାୟତ କାର୍ଯ୍ୟାଳୟରେ ଗତ ୧୭ ଅଗଷ୍ଟ (ଗୁରୁବାର) ଦିନ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ଭତ୍ତା ବଣ୍ଟନ ମେଳାରେ ସଞ୍ଜୟ ଆଗ୍ରୱାଲଙ୍କ ଫଟୋ ଲାଗିଥିଲା ।
ମଧୁବାବୁ ପେନସନ ଯୋଜନାରେ ଭ୍ରଷ୍ଟାଚାର ହୋଇ ଏଭଳି ସରକାରୀ ଟଙ୍କାରେ ପରିବାରବାଦ ରାଜନୀତିର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରିଛି ବିଜେପି । ଭତ୍ତା ବଣ୍ଟନ ମେଳା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାକୁ ଏକ ବ୍ୟକ୍ତିଗତ ପାରିବାରିକ କାର୍ଯ୍ୟକ୍ରମ ଓ ବିଜୁ ଜନତା ଦଳର କାର୍ଯ୍ୟକ୍ରମରେ ପରିଣତ କରାଗଲା ବୋଲି ଅଭିଯୋଗ ହୋଇଛି । ଯଦି ଭତ୍ତା ବଣ୍ଟନ ମେଳା ସରକାରୀ ଅର୍ଥରେ ହେଉଛି ଓ ସରକାରୀ ଅଧିକାରୀ ଯଥା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହୁଛନ୍ତି ତେବେ ଏଥିରେ ପାରିବାରିକ ପ୍ରୀତି କାହିଁକି ରହିଲା । ଯାହାକୁ ନେଇ ବିଜେପି ଥାନାରେ ଅଭିଯୋଗ କରିଛି ।
ଅଧିକ ପଢନ୍ତୁ: ସୌମ୍ୟଙ୍କ ବିସ୍ଫୋରଣ ଜାରି; ଦଲାଲଙ୍କ ହାତରେ ଶାସନ ଭାର, କ୍ଷମତାରେ ବି ଟିମ
ବିଜେପି କହିଛି,‘‘ପାଟକୁରା ବିଧାୟିକା ସାବିତ୍ରୀ ଆଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କ ବିରାଟ ଫଟୋ ସରକାରୀ ବ୍ୟାନରରେ କାହିଁକି ଲାଗିଛି ସେନେଇ ପ୍ରଶାସନ ଓ ସରକାର ଉତ୍ତର ରଖନ୍ତୁ । ବିଧାୟିକାଙ୍କ ପ୍ରତିନିଧିଙ୍କ ଫଟୋ ସରକାରୀ ବ୍ୟାନରରେ କାହିଁକି ରହିବ ? ପ୍ରତିନିଧି ଭାବେ ଯଦି ବିଧାୟିକା ତାଙ୍କୁ ମନୋନୀତ କରିଛନ୍ତି ତେବେ ସେ ବିଧାୟିକାଙ୍କ ଅନୁପସ୍ଥିତିରେ ସରକାରୀ ମଞ୍ଚରେ ଉପସ୍ଥିତ ରହିପାରିବେ କିନ୍ତୁ ସରକାରୀ ବ୍ୟାନରରେ ନୁହେଁ । ଭତ୍ତା ବଣ୍ଟନ କଣ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ? ଯେଉଁଠି ସଞ୍ଜୟ ଅଗ୍ରୱାଲ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତାଙ୍କ ଫଟୋ ମଞ୍ଚ ବ୍ୟାନରରେ ରହିବ ? ସରକାରୀ ଭତ୍ତା ବଣ୍ଟନ କଣ ଏକ ବ୍ୟକ୍ତିଗତ ଘରୋଇ କାର୍ଯ୍ୟକ୍ରମ ଯେ ବିଧାୟିକାଙ୍କ ସହ ତାଙ୍କ ପୁଅଙ୍କ ଫଟୋ ମଞ୍ଚ ବ୍ୟାନରରେ ରହିବ ? ସେନେଇ ଉତ୍ତର ପ୍ରଶାସନ,ସରକାର ଓ ବିଧାୟିକା ନିଜେ ଦିଅନ୍ତୁ ବୋଲି ମଧ୍ୟ ବିଜେପି କହିଛି ।
ଇଟିଭି ଭାରତ,କେନ୍ଦ୍ରାପଡା