କେନ୍ଦ୍ରାପଡା: ଚାଲିଛି ନାମ ସଂକୀର୍ତ୍ତନ ଆଉ ପଡୁଛି ହୁଳହୁଳି । ଏହା କୌଣସି ଠାକୁରଙ୍କ ପାଖରେ ନୁହେଁ ବରଂ ପ୍ରତିବାଦ ସ୍ବରୂପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ବାରୋ ପଞ୍ଚାୟତରେ ମନରେଗା କାମକୁ ନେଇ ହୋଇଥିବା ମହାଦୁର୍ନିତୀରେ ସରପଞ୍ଚ, ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ସେମାନଙ୍କୁ ବହିଷ୍କାର ଦାବିରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଵାରୋ ଗ୍ରାମବାସୀ । କିନ୍ତୁ ପୂର୍ବରୁ ବହୁଥର ଜିଲ୍ଲାପାଳଙ୍କ ସାକ୍ଷାତ ନପାଇ ଫେରିଥିବା ଏହି ଗ୍ରାମବାସୀ ମାନେ ଗତ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ରିଷ୍ଟ ଖଣ୍ଡନ ଓ ବିଡ଼ିଓଙ୍କ ଜ୍ଞାନ ଉଦୟ ପାଇଁ ହୋମଯଜ୍ଞ କରିଥିଲେ ।
ତେବେ ଧାରଣାକୁ ୫ଦିନ ପୁରିଥିଲେ ମଧ୍ୟ ଆଜିଯାଏଁ ଜିଲ୍ଲାପାଳ ଦେଖା ନଦେବା କିମ୍ବା ବିଡ଼ିଓ କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି ପୁନଶ୍ଚ ଗ୍ରାମବାସୀ ଝାଞ୍ଜ, ମୃଦଙ୍ଗ, ଗିନି ଓ ଝୁମୁକା ଧରି ସଂକୀର୍ତ୍ତନ କରି ନିଜର ଦାବି ଉପସ୍ଥାପିତ କରିଛନ୍ତି । ଯେପର୍ଯ୍ୟନ୍ତ ସରକାରୀ ଅର୍ଥ ହଡପକାରୀ ବହିଷ୍କାର ନ ହୋଇଛନ୍ତି ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଗଣଧାରଣା ଚାଲୁ ରହିବ ବୋଲି କହିଛନ୍ତି ଗ୍ରାମବାସୀ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ