କେନ୍ଦ୍ରାପଡା: ଜିଲ୍ଲାରେ ବଢୁଥିବା କୋଭିଡ ଦ୍ବିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଠାରୁ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଧିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପରାହ୍ନ ୨ ଘଟିକା ଠାରୁ ସକାଳ ୭ ଘଟିକା ଯାଏଁ ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ ।
ଆଜି(ଗୁରୁବାର) ମ୍ୟୁନିସିପାଲିଟି ଟାଉନ ହଲରେ ଅନୁଷ୍ଠିତ ବୈଠକରେ ସହରର ସମସ୍ତ ବ୍ୟବସାୟୀ, ଉପ ଜିଲ୍ଲାପାଳ, ମ୍ୟୁନିସିପାଲିଟି ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ସହରର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନକୁ ଅପରାହ୍ନ ୨ଟାରୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ସହରରେ ଏବେ ସୁଦ୍ଧା ୩୨ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଆକ୍ଟିଭ ସଂକ୍ରମିତ ସଂଖ୍ୟା ୧୨ ରହିଛି । ସମସ୍ତ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖାଯାଉଥିବାବେଳେ ଜଣେ ଗୁରୁତରଙ୍କୁ କୋଭିଡ ମେଡିକାଲରେ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ପୌରନିର୍ବାହୀ ଅଧିକାରୀ ।
ତେବେ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳମାନଙ୍କରେ ଏହି ବନ୍ଦ ପ୍ରକ୍ରିୟା ଜାରି କରିବାକୁ ବ୍ୟବସାୟୀଙ୍କ ସହ ବିଚାରବିମର୍ଶ କରୁଛି ପ୍ରଶାସନ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ