କେନ୍ଦ୍ରାପଡ଼ା : ''ବାପା ଆମେ ମୁର୍ଖ ଲୋକ, ଜୀବନ ଜିଇଁବା ପାଇଁ ପାଗେଳି ଝିଅକୁ ଧରି ଭତ୍ତା ଖଣ୍ଡିଏ ପାଇଁ ଟିପ ଚିହ୍ନ ଦେଇଥିଲୁ । ହେଲେ ଜାଣି ନଥିଲୁ ଯେ, ନିଜ ଔରସରୁ ଜନ୍ମ ହୋଇଥିବା ସନ୍ତାନ ଆମକୁ ଏଭଳି ଗଞ୍ଜଣା ଦେବ ।" ଏଭଳି କିଛି ଯନ୍ତ୍ରଣାଭରା ଅଭିଯୋଗ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛନ୍ତି ୭୦ ବର୍ଷର ବୃଦ୍ଧା ମହିଳା ।
ପଟ୍ଟାମୁଣ୍ଡାଇ ଥାନା ବଡ଼ଜରିଆ ଗାଁର ଅହଲ୍ୟା ରାଉଳ । ସ୍ବାମୀଙ୍କ ପରଲୋକ ପରେ ଦୁଇ ପୁଅ, ବୋହୁ ଓ ମାନସିକ ବିକୃତ ଝିଅ ମାତା ରାଉଳକୁ ନେଇ ସଂସାର ଚଳାଉଥିଲେ । ଅହଲ୍ୟାଙ୍କ ସାନ ଝିଅ ବାହା ହୋଇ ଶାଶୁ ଘରେ ରହିଛନ୍ତି । ତେବେ ଏମାନଙ୍କୁ ନେଇ ସୁରୁଖୁରରେ ଚାଲିଥିଲା ଅହଲ୍ୟାଙ୍କ ସଂସାର । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସମ୍ପତ୍ତି ଲୋଭ ମାଡ଼ି ବସିଲା ପୁଅ ବୋହୂଙ୍କୁ ।
ଅହଲ୍ୟା ଓ ମାତା ରାଉଳଙ୍କ ନାଁରେ ଥିବା ଜମିର କାଗଜପତ୍ର ପୁଅମାନେ ନିଜ ନାମରେ କରିବାକୁ ରଚିଲେ ଯୋଜନା । ମାଆ ଅହଲ୍ୟା ଓ ଭଉଣୀ ମାତା ନିରକ୍ଷର ହୋଇଥିବାରୁ ଏହାର ସୁଯୋଗ ନେଇ ତାଙ୍କର ଦୁଇ ପୁଅ ୨୦୧୮ ମସିହାରେ ଭିନ୍ନକ୍ଷମ ଭଉଣୀର ଭତ୍ତା କରାଇଦେବାକୁ କହିଥିଲେ । ପୁଅର କଥାକୁ ବିଶ୍ବାସ କରି ବୃଦ୍ଧା ମାଆ ଓ ଭଉଣୀ ମଧ୍ୟ ଟିପ ଚିହ୍ନ ଦେଇଥିଲେ ।
ତେବ ନିରକ୍ଷରତା ଓ ଭିନ୍ନକ୍ଷମ କାରଣରୁ ଟିପ ଚିହ୍ନ କାହିଁକି ନିଆଗଲା ସେନେଇ ମାଆ କି ଝିଅ କେହି ବୁଝି ପାରିନଥିଲେ । ଟିପ ଚିହ୍ନ ନେବାର କିଛିଦିନ ପରେ ଏହି ଅସହାୟ ମାଆ ଓ ଝିଅଙ୍କୁ ଦୁଇ ପୁଅବୋହୂ ଘରୁ ତଡ଼ି ଦେଇଥିଲେ । ଏପରିକି ଦୁଇ ବୋହୂ ଓ ଶଢୁଙ୍କ ନାମରେ ସମସ୍ତ ଜମି ଜାଗା କରାଯାଇଥିବା ବେଳେ ଏହି ଜମିର ମାଲିକାନା ସେମାନଙ୍କ ନାଁରେ କରିଦେଇଥିଲେ । ରହିବାକୁ କୌଣସି ସୁବିଧା ନଥିବାରୁ ଅହଲ୍ୟାଙ୍କ ସାନ ଝିଅ ଅର୍ଚ୍ଚନା ଉଭୟଙ୍କୁ ନେଇ ସେବେଠାରୁ ନିଜ ପାଖରେ ରଖିଛନ୍ତି ।
ତେବେ ନିଜର ଜମିଜାଗା ଫେରି ପାଇବା ପାଇଁ ବାରମ୍ବାର ପଟ୍ଟାମୁଣ୍ଡାଇ ଥାନା ଓ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଅସହାୟ ବୃଦ୍ଧା ଅହଲ୍ୟା । ହେଲେ କୌଣସି ଫଳାଫଳ ମିଳିନି । ଶେଷରେ ସୋମବାର ଦିନ ଗାଁର କିଛି ମହିଳା ଓ ଅହଲ୍ୟାଙ୍କ ସାନଝିଅ ସମେତ ବୃଦ୍ଧା ମାଆ ଓ ଦିବ୍ୟାଙ୍ଗ ଭଉଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ।
ଧାରଣା ଦେବାର କିଛି ସମୟ ପରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ସେଠାରେ ଅସହାୟ ପରିବାରଙ୍କ ଠାରୁ ସମସ୍ତ କଥା ଶୁଣି ନ୍ୟାୟ ମିଳିବା ଦିଗରେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏବେ ଦେଖିବାକୁ ବାକି ରହିଛି କେବେ ଏହି ଅସହାୟ ପରିବାରକୁ ସାହାଯ୍ୟ ମିଳିବ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା