ଫୁଲବାଣୀ: ସରକାର ଶିକ୍ଷାର ବିକାଶ ଓ ଭିତ୍ତିଭୂମୀ ପାଇଁ କରିଛନ୍ତି ବହୁ ଯୋଜନା । ଛାତ୍ରଛାତ୍ରୀଙ୍କ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷାକୁ ଗୁରୁତ୍ଵ ଦେଇ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି । ୫ଟି ଯୋଜନାରେ ସ୍କୁଲ ଗୁଡିକୁ ସାମିଲ କରାଯାଇଛି ।
କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ । ସ୍ମାର୍ଟ ସ୍କୁଲର ଛାତ୍ରଛାତ୍ରୀମାନେ ବର୍ଷାରେ ଭିଜି ଭିଜି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଛି । 5 ଟି ଯୋଜନାରେ ସ୍କୁଲ ସାମିଲ କରି ସୌନ୍ଦର୍ଯ୍ୟକରଣ କରି ସ୍ମାର୍ଟ କ୍ଲାସରୁମରେ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । କିନ୍ତୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।
ଫଳରେ ପିଲାମାନେ ହାତରେ ଥାଳି ଧରି ବର୍ଷାରେ ବୁଲି ବୁଲି ଖାଉଥିବା ଦେଖିବାକୁ ମିଳିଥିଲା । କନ୍ଧମାଳ ଜିଲ୍ଲାର କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଏନେଇ ପ୍ରଧାନଶିକ୍ଷକଙ୍କୁ ଅନେକ ଥର ଅଭିଭାବକ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ପାରୁନାହିଁ । ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବାରଣ୍ଡାରେ ଖାଦ୍ୟ ଦେବାକୁ କହିବାରୁ ପ୍ରଧାନ ଶିକ୍ଷକ ସଫା ସୁତୁରା କରିବାକୁ କେହି ନଥିବା କହି ଫାଙ୍କି ଦେଇଛନ୍ତି । ଏନେଇ ସ୍ଥାନୀୟ ଅଭିଭାବକ ଏବଂ ସମାଜସେବୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ଜଣାଇଥିବା ସମାଜ ସେବୀ କାହ୍ନୁ ଚରଣ ନାୟକ କହିଛନ୍ତି । ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
ଇଟିଭି ଭାରତ,କନ୍ଧମାଳ