ଫୁଲବାଣୀ: ଚକ୍ଖଡ଼ିରେ କାଳିଆ ସାଆନ୍ତଙ୍କ କୁନି ରଥ । ସବୁଠୁ ଛୋଟ ରଥ ତିଆରି କରିଛନ୍ତି ଫୁଲବାଣୀର ପ୍ରତ୍ୟୁଷ କୁମାର ଚୌଧୁରୀ । ପ୍ରତ୍ୟୁଷ ଏକ ଚକ୍ଖଡ଼ିରେ ନିର୍ମାଣ କରିଛନ୍ତି ନନ୍ଦିଘୋଷ ରଥ । ଆଉ ଏହି ରଥରେ ବିରାଜମାନ ହୋଇଛନ୍ତି ମହାପ୍ରଭୁ । ଏହି କଳାକୃତ୍ତି ପାଇଁ ଏସିଆ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ପ୍ରତ୍ୟୁଷ ।
କନ୍ଧମାଳ ଜିଲ୍ଲାର ସ୍ଥାନୀୟ ନଦୀଖଣ୍ଡି ସାହିରେ ବାସ କରନ୍ତି ଏନ. ପ୍ରତ୍ୟୁଷ କୁମାର ଚୌଧୁରୀ । ଚଳିତ ରଥଯାତ୍ରା ସମୟରେ ଏକ ମୁଣ୍ଡା ଖଡ଼ିକୁ ନେଇ ସୂକ୍ଷ୍ମକଳା ମାଧ୍ୟମରେ ଛୋଟିଆ ରଥ ତିଆରି କରିଥିଲେ । ଆଶା ଥିଲା ଗିନିଜ୍ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବେ l ରଥର ଲମ୍ବ 1.9 ସେମି ଏବଂ ଓସାର 2.5 ସେମି ଥିଲା । ଏହି ସୂକ୍ଷ୍ମକଳାକୃତ୍ତି ପାଇଁ ସେ ଏସିଆ ବୁକ ଅଫ୍ ରେକର୍ଡସ ଏବଂ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ପାଇଁ ଆବେଦନ କରିଥିଲେ । ତେବେ କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡିଙ୍କ ସହଯୋଗରେ ତାହା ଅନୁମୋଦିତ ହୋଇ ପାରିଛି ।
ଚଳିତ ମାସରେ ତାହା ଅନୁମୋଦିତ ହୋଇ ପଦକ ସହ ମାନପତ୍ର ଆସିଥିଲା । କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ଏନ୍. ପ୍ରତ୍ୟୁଷ କୁମାର ଚୌଧୁରୀ l ଏହି ମାନପାତ୍ର ପାଇବା ପରେ ପ୍ରତ୍ୟୁଷଙ୍କ ଘରେ ଖୁସିର ଲହରି ଖେଳିଯାଇଛି l ପ୍ରତ୍ୟୁଷଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ