ଭବାନୀପାଟଣା: ସ୍କୁଲ୍ ଯିବା ପାଇଁ ବାଟ ଓଗାଳୁଛି ନଦୀ । ସ୍କୁଲ୍ ଯିବାକୁ ହେଲେ ପିଲାଙ୍କୁ ନଦୀ ପାରି ହେବାକୁ ପଡ଼ୁଛି (Students crossing river in Kalahandi)। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶିକ୍ଷା ପାଇଁ ଜୀବନକୁ ବିବଦରେ ପକାଇବାକୁ ବାଧ୍ୟ ହେଉଛନ୍ତି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ।
ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ହରଡାପଡା ଗାଁରେ ବର୍ଷାଦିନ ଆସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଉଭୟଙ୍କ ଜୀବନ ବିପଦରେ ପଡ଼ିଯାଏ । ଗାଁ ଦେଇ ଯାଇଛି ହଂସିନି ନାଳ । ନାଳ ଆରପଟେ ରହିଛି ହଂସିନି ପ୍ରାଥମିକ ବିଦ୍ୟାଳୟ । ତେବେ ବର୍ଷା ଦିନ ଆସିଲେ ଏହି ନାଳରେ ପାଣି ବଢ଼ିଯାଏ । ଫଳରେ ସ୍କୁଲ ପିଲା ହୁଅନ୍ତୁ କି ଶିକ୍ଷକ ସମସ୍ତେ ନାଳ ପାରି ହୋଇ ସ୍କୁଲ୍ ଯିବାକୁ ବାଧ୍ୟ ହେଉଛନ୍ତି ।
ହଂସିନି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଏ ପାଠ ପଢ଼ନ୍ତି । ଏହି ସ୍କୁଲ୍ ଉପରେ 3ଟି ଗ୍ରାମର ଛାତ୍ରଛାତ୍ରୀ ନିର୍ଭରଶୀଳ । ଏଠାରେ ହରଡାପଡା ସମେତ ଜଗନ୍ନାଥପଡା, ମାଳପଡ଼ା ଗ୍ରାମର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେମାନଙ୍କୁ ଶିକ୍ଷାଦାନ ପାଇଁ ଦୁଇଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ତେବେ ନାଳ ଯୋଗୁଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କୁ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି । ସମସ୍ୟାର ସମାଧାନ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସମସ୍ୟାକୁ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମଣ୍ଡଳ ଶିକ୍ଷା ଅଧିକାରୀ ।
ଇଟିଭି ଭାରତ, କଳାହାଣ୍ଡି