ଭବାନୀପାଟଣା: ଡମ୍ପିଂୟାର୍ଡ ପାଲଟିଛି ଭବାନୀପାଟଣା ସହର । ସହରର ପ୍ରତ୍ୟେକ ଗଳିକନ୍ଦିକୁ ଦେଖିଲେ କୌଣସି ଡମ୍ପିଂୟାର୍ଡରୁ କମ୍ ମନେ ହେଉନି । ଜନବସତିରେ ଏଭଳି ଭାବରେ ପଡ଼ି ରହିଥିବା ଅଳିଆ ଆବର୍ଜନା ପ୍ରତି କାହାରି ନିଘା ନଥିବା ଅଭିଯୋଗ ହୋଇଛି । ୨୦ ଟି ୱାର୍ଡ ବିଶିଷ୍ଟ ଭବାନୀପାଟଣା ସହରରେ ବିଗତ ୬ ଦିନ ହେଲାଣି ପୌର ବିଭାଗ ପକ୍ଷରୁ ସଫେଇ କରାଯାଉ ନାହିଁ । ଫଳରେ ରାସ୍ତା ମଝିରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି ।
ଭବାନୀପାଟଣା ପୌରପାଳିକାରେ ୨୩୦ ଜଣ ସଫେଇ କର୍ମଚାରୀ ରହିଛନ୍ତି । ତେବେ ସରକାରୀ ସ୍ତରରେ ନିଯୁକ୍ତି ଦାବିରେ ଗତ ୬ ଦିନ ହେଲାଣି ଆନ୍ଦୋଳନରେ ଡାକରା ଦେଇଛନ୍ତି ସଫେଇ କର୍ମଚାରୀ ସଂଘ । ପୌର ବିଭାଗ ପକ୍ଷରୁ ପରିମଳ ବ୍ୟବସ୍ଥା ପାଇଁ ଏକ ଠିକା ସଂସ୍ଥାକୁ ଟେଣ୍ଡର ଦିଆଯାଇଛି । ସମସ୍ତ ସଫେଇ କର୍ମଚାରୀଙ୍କୁ ଟେଣ୍ଡର ପାଇଥିବା ସଂସ୍ଥା ଅଧୀନରେ କାର୍ଯ୍ୟ କରାଇବା ପାଇଁ ପୌରପାଳିକା ନିଷ୍ପତ୍ତି ନେଇଛି ।
ସରକାରୀ ନିୟମ ଅନୁଯାୟୀ ୨୭୪ ଦିନରୁ ଊର୍ଦ୍ଧ୍ବ ଦିନ କାମ କରିଥିବା ସଫେଇ କର୍ମଚାରୀଙ୍କୁ NMR ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଭବାନୀପାଟଣା ପୌରପାଳିକା ଏହି ନିୟମକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ତେଣୁ ସମସ୍ତ ସଫେଇ କର୍ମଚାରୀ ଧାରଣାରେ ବସିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କାଉନସିଲିଂ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ଷ ନବାହାରିବାରୁ ଆନ୍ଦୋଳନ ଜାରି ରଖିଛି ସଂଘ ।
ସେପଟେ ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ରାସ୍ତା ଉପରେ ଅଳିଆ ଆବର୍ଜନା ପଡ଼ି ରହୁଥିବା ବେଳେ ଡ୍ରେନେଜ ସଫା ହେଉ ନାହିଁ । ଏଥିପାଇଁ ଦୁର୍ଗନ୍ଧରେ ଅଣନିଶ୍ୱାସୀ ହୋଇ ପଡ଼ୁଛନ୍ତି ସହରବାସୀ । ଯଥାଶୀଘ୍ର ପୌରପାଳିକା ଏହି ସମସ୍ୟାର ସମାଧାନ କରିବା ପାଇଁ ସହରବାସୀ ଦାବି କରିଛନ୍ତି । ପୌର ଅଧିକାରୀ ଯଥାଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।