ଭବାନୀପାଟଣା: ପ୍ରେମ, ନିବେଦନ, ନୃଶଂସ । ଯୁବକଙ୍କ ପ୍ରେମକୁ ଗ୍ରହଣ ନକରିବାରୁ ନାବାଳିକାକୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକ । ପ୍ରେମ ପ୍ରତ୍ୟାଖ୍ୟାନ ସହିନପାରି ପ୍ରେମିକ ଘଟାଇଲା ଏପରି ନୃଂଶସ କାଣ୍ଡ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ । ପରିବାର ଲେକଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଜୟପାଟଣା ପୋଲିସ ।
ଦୁନିଆ ବଦଳିବା ସହ ବଦଳି ଯାଇଛି ପ୍ରେମର ସଂଜ୍ଞା । କାହାପାଇଁ ପ୍ରେମ ଶାଶ୍ୱତ ତ ପୁଣି ଆଉ କାହାପାଇଁ ପ୍ରେମ ଚିରନ୍ତନ । କେତେବେଳେ ପ୍ରେମ ସମର୍ପଣର ପରିଭାଷା ତ ପୁଣି ଆଉ କେତେ ବେଳେ ପ୍ରେମ ଅପେକ୍ଷାର ଆଉ ଏକ ପାର୍ଶ୍ଵ । ହେଲେ ବର୍ତ୍ତମାନ ସମୟରେ ଆଉ ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ବଦଳି ଯାଇଛି ପ୍ରେମର ପରିଭାଷା । ବର୍ତ୍ତମାନ ସମୟରେ କେବେ ପ୍ରେମ ପାଇଁ ଅପହରଣ ତୋ କେବେ ହତ୍ୟା । ପ୍ରେମରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ । ପ୍ରେମକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ । ଗତ କିଛି ଦିନ ତଳେ ପ୍ରେମ ସମ୍ପର୍କକୁ ନେଇ ଜୟପାଟଣା ଥାନା ଅଞ୍ଚଳରେ ଜଣେ ଯୁବକୁ ହତ୍ୟା କରାଯାଇଥିବା ବେଳେ ଗତକାଲି(ଗୁରୁବାର) ପୁଣି ସେହି ପ୍ରେମ ସମ୍ପର୍କକୁ ନେଇ ଜଣେ ନାବାଳିକାକୁ ହତ୍ୟା କରାଯାଇଥିବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ଲୁହାବାହାଲ ଗାଁର ପ୍ରେମଲାଲ ଦୁର୍ଗା ବତାସୀଗୁଡା ଗାଁର ଜଣେ ନାବାଳିକାକୁ ଏକ ତରଫା ପ୍ରେମ କରୁଥିଲେ । ଅନେକ ଥର ନିଜ ମନର କଥାକୁ ସେହି ନାବଳିକାକୁ ଜଣାଇବା ସହ ପ୍ରେମ ନିବେଦନ କରିଥିଲେ । ହେଲେ ନାବାଳିକା ଜଣକ ପ୍ରେମଲାଲଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଭଳି ଅନେକ ଥର ପ୍ରେମ ଲାଲ ନିବେଦନ କରିବା ସତ୍ତ୍ୱେ ମଧ୍ୟ ନାବାଳିକା ଜଣକ ଗ୍ରହଣ ନକରି ପରିବାର ବର୍ଗଙ୍କୁ ଜଣାଇଥିଲେ ।
ଏନେଇ ପରିବାର ଲୋକେ ପ୍ରେମ ଲାଲକୁ ତାଗିଦ କରିଥିଲେ । ଏଥିରେ ପ୍ରେମଲାଲ ପ୍ରତିଶୋଧ ପରାୟଣ ହୋଇ ଗତକାଲି ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପ୍ରେମଲାଲ ନାବଳିକାର ଘରକୁ ଯାଇ ନାବାଳିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ପରିବାର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିବା ଜଣାପଡିଛି ।
ଇଟିଭି ଭାରତ, କଳାହାଣ୍ଡି