ଭବାନୀପାଟଣା: ବିଶ୍ବରେ କୋରୋନା ମହାମାରୀର ରୂପ ନେଇ କାୟା ବିସ୍ତାର କରିଥିବାବେଳେ ଏହାର ମୁକାବିଲା ପାଇଁ ଦେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ଲୋକଙ୍କୁ ସଚେତନ କରିବା ଠାରୁ ଆରମ୍ଭ କରି ସେମାନଙ୍କ ଚିକିତ୍ସା କରିବାର ଦାୟିତ୍ବ ସରକାର ବହନ କରିଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ୟ ଏଥିରେ ସାମିଲ ହୋଇ ନିଜ ସାମାଜିକ ଦାୟିତ୍ବ ନିର୍ବାହ କରୁଛନ୍ତି । ଏମାନେ ଲୋକଙ୍କୁ ସଚେତନ କରିବା ସହ କୋରୋନା ରୋଗୀଙ୍କୁ ଉଚିତ୍ ଚିକିତ୍ସାର ବ୍ୟବସ୍ଥା କରିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ।
ମୁଖ୍ୟତଃ ଯେଉଁ ରୋଗୀ ମାନେ କୋରୋନାରେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କ ଶବ ସତ୍କାର କରିବାକୁ ସାଧାରଣତଃ କେହି ଆଗେଇ ଆସୁନଥିବା ବେଳେ ଏଇ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଆଗକୁ ଆସି ଶବ ସତ୍କାର କରୁଛନ୍ତି । ସେହିପରି ଏକ ଏନଜିଓ ‘ଏକତା ପରିଷଦ’ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ଶବଦାହ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି ।
କଳାହାଣ୍ଡି ଜିଲ୍ଲାରେ 31 ରୁ ଅଧିକ ଏନଜିଓ ଅଛନ୍ତି ଯେଉଁମାନେ ବିଭିନ୍ନ ବିଷୟ ଉପରେ କାମ କରୁଛନ୍ତି । ତେବେ ଜିଲ୍ଲାର ଅନ୍ୟ 2-3ଟି ଏନଜିଓ ତଥା ଲାଏନ୍ସ କ୍ଲବ ଓ ମାରୱାଡୀ ଯୁବ ମଞ୍ଚ ଭଳି ସଂଗଠନ ଆଗକୁ ଆସି କୋଭିଡ ରୋଗୀଙ୍କ ଶେଷକୃତ୍ୟରେ ସହଯୋଗ କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 807 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 438 ଜଣ ସୁସ୍ଥ ହୋଇଛନ୍ତି । 367 ଜଣ ବର୍ତ୍ତମାନ ମଧ୍ୟ ଆକ୍ରାନ୍ତ ଥିବା ବେଳେ 2 ଜଣ କୋରୋନାରେ ମୃତ୍ୟୁ ବରଣ କରିଛନ୍ତି । କୋରୋନା ରୋଗୀଙ୍କ ମୃତ୍ୟୁପରେ ସଂକ୍ରମଣ ଭୟରେ ପରିବାର ପଛଘୁଞ୍ଚା ଦେଉଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ଏହି କ୍ଷେତ୍ରରେ ସହଯୋଗ କରୁଛନ୍ତି, ଯାହା ନିଶ୍ଚିତ ଭାବେ ପ୍ରସଂଶନୀୟ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ